18.1 C
Bhubaneswar
Tuesday, November 19, 2024
Homeଖେଳଦିନିକିଆ ସିରିଜ୍‌ରେ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ

ଦିନିକିଆ ସିରିଜ୍‌ରେ ସ୍ମିଥଙ୍କୁ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ

ମୁମ୍ବାଇ: ସୋମବାର ବର୍ଡର୍‌-ଗାଭାସ୍କର ଟ୍ରଫି ଶେଷ ହେବା ପରେ ଆସନ୍ତା ୧୭ରୁ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ । ମୁମ୍ବାଇସ୍ଥିତ ୱାଙ୍ଖେଡେ ଷ୍ଟାଡିୟମ୍‌ଠାରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍‌ରେ ୩ଟି ମ୍ୟାଚ୍ ଖେଳାଯିବ । ଏହି ସିରିଜ୍ ମାଧ୍ୟମରେ ଦୁଇ ଦଳ ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଖେଳାଯିବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ୍ ସକାଶେ ପ୍ରସ୍ତୁତି କରିବାର ସୁଯୋଗ ପାଇବେ । ତେବେ ଅଷ୍ଟ୍ରେଲିଆ ଦଳର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ମାତୃ ବିୟୋଗ ଘଟିଥିବାରୁ ସେ ଆଗାମୀ ଦିନିକିଆ ସିରିଜ୍ ମଧ୍ୟ ଖେଳିପାରିବେ ନାହିଁ । ଗତ ବର୍ଡର୍‌-ଗାଭାସ୍କର ଟ୍ରଫିର ଦିଲ୍ଲୀ ଟେଷ୍ଟ୍ ଶେଷ ହେବା ପରେ ମା’ଙ୍କ ଅସୁସ୍ଥତା କାରଣରୁ କମିନ୍ସ ସ୍ୱଦେଶ ଫେରିଯାଇଥିଲେ ।

ଅହମ୍ମଦାବାଦଠାରେ ସିରିଜ୍‌ର ଅନ୍ତିମ ଟେଷ୍ଟ୍ ଆରମ୍ଭ ହେବାର ପୂର୍ବଦିନ କମିନ୍ସ ମା’ଙ୍କୁ ହରାଇଥିଲେ । ତେଣୁ ସେ ଅନ୍ତିମ ଦୁଇ ଟେଷ୍ଟ୍ ଖେଳିପାରି ନ ଥିଲେ । ତାଙ୍କ ସ୍ଥାନରେ ଦଳର ତାରକା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଦୁଇ ଟେଷ୍ଟ୍‌ରେ ନେତୃତ୍ୱ ନେବାର ସୁଯୋଗ ମିଳିଥିଲା । ତାଙ୍କ ନେତୃତ୍ୱରେ ଦଳ ଇନ୍ଦୋର୍ ଟେଷ୍ଟ୍‌ରେ ଭାରତକୁ ପରାସ୍ତ କରି ସିରିଜ୍‌ର ପ୍ରଥମ ବିଜୟ ହାସଲ କରିଥିଲା । ତେଣୁ ସ୍ମିଥ୍ ମଧ୍ୟ ଆଗାମୀ ଦିନିକିଆ ସିରିଜ୍‌ରେ ଭ୍ରମଣକାରୀ ଦଳର ନେତୃତ୍ୱ ନେବେ ବୋଲି ମୁଖ୍ୟ କୋଚ୍ ଆଣ୍ଡ୍ୟୁ ମ୍ୟାକ୍‌ଡୋନାଲ୍‌ଡ ଏକ କ୍ରୀଡ଼ାଭିତ୍ତିକ ୱେବ୍‌ସାଇଟ୍‌କୁ ସୂଚନା ଦେଇ କହିଛନ୍ତି । ସେହିପରି କମିନ୍ସଙ୍କ ସ୍ଥାନରେ ମଧ୍ୟ ଦଳରେ କୌଣସି ବିକଳ୍ପ ଖେଳାଳିଙ୍କୁ ସାମିଲ୍ କରାଯାଇନାହିଁ ।

ଦଳର ଅନ୍ୟତମ ପେସର୍ ଝାଇ ରିଚାର୍ଡସନ୍ ହାମଷ୍ଟ୍ରିଙ୍ଗ୍ ଇନ୍‌ଜୁରୀର ଶିକାର ହୋଇଥିବାରୁ ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଦଳରେ ନାଥନ୍ ଏଲିସ୍ ଯୋଗ ଦେଇଛନ୍ତି । ଅନ୍ୟପକ୍ଷରେ ଅଦ୍ୟାବଧି ସ୍ମିଥ୍ ୫୧ଟି ଦିନିକିଆ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଇସାରିଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ସକାଶେ ଅଷ୍ଟ୍ରେଲିଆ ଏକ ଶକ୍ତିଶାଳୀ ଦଳ ଚୟନ କରିଥିବା ମ୍ୟାକ୍‌ଡୋନାଲ୍‌ଡ କହିଛନ୍ତି । କମିନ୍ସ ଓ ରିଚାର୍ଡସନ୍‌ଙ୍କ ସହ ଜୋଶ୍ ହେଜଲଉଡ୍ ଆହତ ଥିଲେ ମଧ୍ୟ ଏହା ଆଗାମୀ ସିରିଜ୍‌ରେ ଦଳର ପ୍ରଦର୍ଶନକୁ ପ୍ରଭାବିତ କରିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ଆଗାମୀ ସିରିଜ୍‌ରେ ଚୂଡ଼ାନ୍ତ ଏକାଦଶରେ ଆବଶ୍ୟକ ସ୍ଥଳେ ୮ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଖେଳାଇବାର ସମ୍ଭାବନା ରହିଛି । ଭାରତ ଗସ୍ତରେ ଆସିଥିବା ଟିମ୍‌ରେ ଅନେକ ଅଲ୍‌ରାଉଣ୍ଡର୍ ଅଛନ୍ତି । ତେଣୁ ସେମାନଙ୍କୁ ସିରିଜ୍‌ରେ ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି । ଆଘାତଜନିତ କାରଣରୁ ପାଖାପାଖି ୫ ମାସ ଧରି ଦଳଠାରୁ ଦୂରରେ ରହିଥିବା ଅଲ୍‌ରାଉଣ୍ଡର୍ ଗ୍ଲେନ୍ ମ୍ୟାକ୍ସୱେଲ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କୁ ଖେଳାଇବା ସମୟରେ ଟିମ୍ ମ୍ୟାନେଜ୍‌ମେଣ୍ଟ୍ ବିଶେଷ ସାବଧାନତା ଅବଲମ୍ବନ କରିବ ବୋଲି ମ୍ୟାକ୍‌ଡୋନାଲ୍‌ଡ କହିଛନ୍ତି ।

ତା’ଛଡ଼ା ଗତ ନାଗପୁର ଟେଷ୍ଟ୍‌ରେ ଅ।।ହତ ହେବା କାରଣରୁ ଓପନର ଡେଭିଡ୍ ୱାର୍ଣ୍ଣର୍ ସିରିଜ୍‌ର ଅବଶିଷ୍ଟ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ସେ ଦିନିକିଆ ସିରିଜ୍ ପାଇଁ ଭାରତ ଫେରିଛନ୍ତି । ଆହୁରି ଗତ ଟି-୨୦ ବିଶ୍ୱକପ୍‌ରେ ଆହତ ହେବାରୁ ଅଲ୍‌ରାଉଣ୍ଡର୍ ମିଚେଲ୍ ମାର୍ଶ ଅସ୍ତ୍ରୋପଚାରର ସମ୍ମୁଖୀନ ହୋଇଥିଲେ । ଏହି କାରଣରୁ ସେ ଘରୋଇ ସିରିଜ୍ ଖେଳିବାରୁ ବଞ୍ଚିତ ହୋଇଥିଲେ । ତା’ଛଡ଼ା ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ସ୍ପିନର୍ ଆଷ୍ଟନ୍ ଆଗର୍ ଘରୋଇ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ସେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା ରହିଥିବା ମ୍ୟାକ୍‌ଡୋନାଲ୍ଡ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking