ନୂଆଦିଲ୍ଲୀ: ତ୍ରୀଷା ଜଲି ଏବଂ ଗାୟତ୍ରୀ ଗୋପିଚାନ୍ଦଙ୍କ ଉଦୀୟମାନ ଭାରତୀୟ ମହିଳା ଶଟ୍ଲର୍ ଯୋଡ଼ି ସିଙ୍ଗାପୁର ଓପନ୍ ସୁପର୍ ୭୫୦ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଗୁରୁବାର ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍ ପଦକ ବିଜେତା ଯୋଡ଼ି ଟୁର୍ଣ୍ଣାମେଣ୍ଟ୍ର ପ୍ରି-କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ବିଶ୍ୱର ନଂ.୨ ଯୋଡ଼ି କୋରିଆର ବେକ୍ ହା ନା ଏବଂ ଲି ସୋ ହିଙ୍କୁ ପାଖାପାଖି ଏକ ଘଣ୍ଟାର ମୁକାବିଲାରେ ୨୧-୯, ୧୪-୨୧, ୨୧-୧୫ରେ ହରାଇ ଦେଇଛି । ବିଶ୍ୱ ନଂ.୨ କୋରିଆ ଯୋଡ଼ି ବିପକ୍ଷରେ ନଂ.୩୦ ଭାରତୀୟ ଯୋଡ଼ିଙ୍କ ତିନିଟି ମ୍ୟାଚ୍ର ପ୍ରଥମ ବିଜୟ । ତେବେ ଗୁରୁବାର ଭାରତର ଶୀର୍ଷ ଶଟ୍ଲର୍ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ନିଜ ନିଜର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ ହାରିଯାଇଛନ୍ତି ।
ମହିଳା ଡବଲ୍ସ ମ୍ୟାଚ୍ର ପ୍ରଥମ ଗେମ୍ରେ ବେକ୍ ଓ ଲି’ଙ୍କ ଯୋଡ଼ି ତ୍ରୁଟି କରିବା ଫଳରେ ତ୍ରୀଷା ଓ ଗାୟତ୍ରୀଙ୍କ ଯୋଡ଼ି ସହଜରେ ୨୧-୯ର ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ଦ୍ୱିତୀୟ ଗେମ୍ରେ କୋରିଆ ଯୋଡ଼ି ପ୍ରତ୍ୟାବର୍ତ୍ତନ କରି ବିନା କୌଣସି ତ୍ରୁଟିରେ ୧୪-୨୧ରେ ବିଜୟୀ ହେବା ସହିତ ମ୍ୟାଚ୍କୁ ତୃତୀୟ ଗେମ୍ ପର୍ଯ୍ୟନ୍ତ ନେଇଯାଇଥିଲେ । ନିର୍ଣ୍ଣାୟକ ତୃତୀୟ ଗେମ୍ ରୋମାଞ୍ଚର ହୋଇଥିଲା । ପ୍ରଥମରୁ ଉଭୟ ଦେଶର ଶଟ୍ଲର୍ କେତେକ ଶକ୍ତିଶାଳୀ ସ୍ମାଶ୍ ମାରିଥିଲେ । ଏକଦା ସ୍ଥିତି ୮-୮ରେ ରହିଥିଲା । ଏହାପରେ ଭାରତୀୟ ଯୋଡ଼ି ଆକ୍ରମଣାତ୍ମକ ଖେଳ ଜାରିରଖିବା ସହିତ ଲଗାତାର ୬ ପଏଣ୍ଟ୍ ହାସଲ କରି ସ୍କୋର୍ ୧୯-୬ରେ ପହଞ୍ଚାଇବା ପରେ ଏକ ସ୍ମରଣୀୟ ବିଜୟ ହାସଲ କରିଥିଲେ ।
ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସର ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ସିନ୍ଧୁ ସ୍ପେନ୍ର କାରୋଲିନ୍ ମାରିନ୍ଙ୍କଠାରୁ ପରାଜିତ ହୋଇ ବିଦାୟ ନେଇଛନ୍ତି । ଏହି ମ୍ୟାଚ୍ରେ ସିନ୍ଧୁ ପ୍ରଥମ ଗେମ୍ ଜିତିଥିଲେ । ମାତ୍ର ପରେ ୨୧-୧୧, ୧୧-୨୧, ୨୦-୨୨ରେ ହାରିଯାଇଥିଲେ । ସ୍ପେନିଶ୍ ଖେଳାଳିଙ୍କ ବିପକ୍ଷରେ ଏହା ସିନ୍ଧୁଙ୍କର ଲଗାତାର ଷଷ୍ଠ ପରାଜୟ । ସେହିପରି ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ରେ ଏଚ୍ଏସ୍ ପ୍ରଣୟ ଏକାଦଶ ସିଡ୍ ଜାପାନର କେଣ୍ଟା ନିଶିମୋତୋଙ୍କଠାରୁ ୪୫ ମିନିଟ୍ ମଧ୍ୟରେ ୧୩-୨୧, ୨୧-୧୪, ୧୫-୨୧ରେ ହାରିଯାଇଛନ୍ତି । ଏହା ନିଶିମୋତୋଙ୍କ ବିପକ୍ଷରେ ୬ଟି ମ୍ୟାଚ୍ରେ ପ୍ରଣୟଙ୍କ ଚତୁର୍ଥ ପରାଜୟ ।