ନୂଆଦିଲ୍ଲୀ: ଭାରତର ଶୀର୍ଷ ଶଟ୍ଲର୍ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ନିଜ ନିଜର ମ୍ୟାଚ୍ ସିଧା ଗେମ୍ରେ ଜିତି ବୁଧବାର କୋରିଆ ଓପନ୍ ସୁପର୍ ୫୦୦ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ର ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚିଛନ୍ତି । ମହିଳା ସିଙ୍ଗଲ୍ସର ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ଦୁଇଥରର ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ ଆମେରିକାର ଲରେନ୍ ଲାମ୍ଙ୍କୁ ୨୧-୧୫, ୨୧-୧୪ରେ ହରାଇଥିବା ବେଳେ ଶ୍ରୀକାନ୍ତ ମାଲେସିଆର ଡେରେନ୍ ଲ୍ୟୁଙ୍କୁ ପାଲ୍ମା ଷ୍ଟାଡିୟମ୍ରେ ୨୨-୨୦, ୨୧-୧୧ରେ ମାତ୍ ଦେଇଥିଲେ । ନିକଟରେ ସ୍ୱିସ୍ ଓପନ୍ ଟାଇଟଲ୍ ଜିତିଥିବା ତୃତୀୟ ସିଡ୍ ସିନ୍ଧୁ ପରବର୍ତ୍ତୀ ରାଉଣ୍ଡ୍ରେ ଜାପାନର ଆୟା ଓହୋରୀଙ୍କୁ ଭେଟିବେ । ସେହିପରି ବିଶ୍ୱ ଚାମ୍ପିଅନ୍ଶିପ୍ ରୌପ୍ୟ ପଦକ ବିଜେତା ପଞ୍ଚମ ସିଡ୍ ଶ୍ରୀକାନ୍ତଙ୍କ ମୁକାବିଲା ଇସ୍ରାଏଲ୍ର ମିଶା ଜିଲ୍ବରମ୍ୟାନ୍ଙ୍କ ସହ ହେବ ।
ଅନ୍ୟପକ୍ଷରେ କୋରିଆର ବା ଡା କିମ୍ ଓ ହି ୟଙ୍ଗ୍ ପାର୍କଙ୍କ ଯୋଡ଼ି ବିପକ୍ଷରେ ୱାକ୍ଓଭର୍ ପାଇଁ ଏମ୍ଆର୍ ଅର୍ଜୁନ୍ ଓ ଧ୍ରୁବ କପିଳାଙ୍କୁ ଭାରତୀୟ ପୁରୁଷ ଯୋଡ଼ି ମଧ୍ୟ ଦ୍ୱିତୀୟ ରାଉଣ୍ଡ୍ରେ ପ୍ରବେଶ କରିଛି । ଦ୍ୱିତୀୟ ରାଉଣ୍ଡ୍ରେ ଭାରତୀୟ ଯୋଡ଼ିର ସାମ୍ନା ମହମ୍ମଦ ଅହସନ ଓ ହେନ୍ଦ୍ରା ସୋତିୟାୱାନ୍ଙ୍କ ଇଣ୍ଡୋନେସିଆର ଦ୍ୱିତୀୟ ସିଡ୍ ଯୋଡ଼ି ସହ ହେବ ।
ମଙ୍ଗଳବାର ବିଶ୍ୱ ଚାମ୍ପିଅନ୍ଶିପ୍ ବ୍ରୋଞ୍ଜ୍ ପଦକ ବିଜେତା ଲକ୍ଷ୍ୟ ସେନ୍ ଓ ଉଦୀୟମାନ ଖେଳାଳି ମାଳବିକା ବନ୍ସୋଡ୍ ତିନି ଗେମ୍ରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡ୍ରେ ସ୍ଥାନ ହାସଲ କରିଥିଲେ ।