କୁଆଲାଲମ୍ପୁର: ଚଳିତ ମାଲେସିଆ ମାଷ୍ଟର୍ସରୁ ଭାରତର ପ୍ରମୁଖ ମହିଳା ଖେଳାଳି ପିଭି ସିନ୍ଧୁ ଶୁକ୍ରବାର ବିଦାୟ ନେଇଛନ୍ତି । ବିଡବ୍ଲ୍ୟୁଏଫ୍ ର୍ୟାଙ୍କିଙ୍ଗ୍ରେ ଦ୍ୱିତୀୟ ସ୍ଥାନରେ ଥିବା ସିନ୍ଧୁ ତାଙ୍କ କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ୍ଙ୍କଠାରୁ ୧୩-୨୧,୨୧-୧୨,୧୨-୨୧ରେ ପରାସ୍ତ ହୋଇଛନ୍ତି ।
ସେ କ୍ୟାରିୟର୍ରେ କ୍ରମାଗତ ସପ୍ତମ ଥର ପାଇଁ ୟିଙ୍ଗ୍ଙ୍କଠାରୁ ପରାଜୟ ବରଣ କରିଛନ୍ତି । ଶେଷ ଥର ପାଇଁ ସେ ଚଳିତ ମାସ ପ୍ରାରମ୍ଭରେ ମାଲେସିଆ ଓପନ୍ ସୁପର୍ ୧୦୦୦ ଟୁର୍ଣ୍ଣାମେଣ୍ଟ୍ର କ୍ୱାର୍ଟର୍ ଫାଇନାଲ୍ରେ ପରାଜୟ ବରଣ କରିଥିଲେ । ସେହିପରି ଅଦ୍ୟାବଧି ସେ ୟିଙ୍ଗ୍ଙ୍କ ବିପକ୍ଷରେ ୨୨ଟି ମ୍ୟାଚ୍ ଖେଳି ସପ୍ତଦଶ ଥର ପାଇଁ ପରାସ୍ତ ହୋଇଛନ୍ତି । ସିନ୍ଧୁ ଗତ ୨୦୧୯ ଅଗଷ୍ଟରୁ ୟିଙ୍ଗ୍ଙ୍କ ବିପକ୍ଷରେ ବିଜୟୀ ହୋଇପାରିନାହାନ୍ତି । ଶୁକ୍ରବାରର କ୍ୱାର୍ଟର୍ ଫାଇନାଲ୍ ମୁକାବିଲାଟି ମାତ୍ର ୫୫ ମିନିଟ୍ରେ ଶେଷ ହୋଇଥିଲା । ଏଥିସହ ସେ ଗତ ୪ଟି ଟୁର୍ଣ୍ଣାମେଣ୍ଟ୍ କ୍ୱାର୍ଟର୍ ଫାଇନାଲ୍ରୁ ୩ଟିରେ ପରାଜୟ ବରଣ କରିଛନ୍ତି ।