19.1 C
Bhubaneswar
Tuesday, November 19, 2024
Homeଓଡିଶାଓଡ଼ିଶାରେ ‘ସିମ୍ ସ୍ୱାଇପ୍‌’ ରାକେଟ୍‌

ଓଡ଼ିଶାରେ ‘ସିମ୍ ସ୍ୱାଇପ୍‌’ ରାକେଟ୍‌

ଭୁବନେଶ୍ୱର: ଆପଣଙ୍କ ୟୁନିକ୍ ମୋବାଇଲ୍ ନମ୍ବର ଡିଆକ୍ଟିଭ୍ ହୋଇଯାଇଛି କି । ଅନ୍ୟ କେହି ଏହି ନମ୍ବର ବ୍ୟବହାର କରୁଛନ୍ତି କି । ହ୍ୱାଟ୍ସଆପ୍ ପରିଚାଳନା ଠାରୁ ଆରମ୍ଭ କରି ଫୋନ୍‌କଲ୍ ଆଉ କିଏ ଉଠାଉଛି କି । ଏମିତିକି ବ୍ୟାଙ୍କରୁ ମୋବାଇଲ ନମ୍ବର ଜରିଆରେ ଟଙ୍କା କଟିଯାଉଛି । ଯଦି ଏପରି ହେଉଥାଏ ତା’ହେଲେ ଆପଣ ‘ସିମ୍ ସ୍ୱାଇପ୍‌’ ରାକେଟ୍‌ର ଶିକାର ହୋଇଛନ୍ତି । ଏହି ରାକେଟ୍‌ର ସଦସ୍ୟମାନେ ଲୋକଙ୍କ ନମ୍ବରକୁ ସ୍ୱାଇପ୍ କରି ଅନ୍ୟଲୋକଙ୍କୁ ବିକ୍ରି କରିଦେଉଛନ୍ତି । ପରେ ଅନ୍ୟଲୋକ ଜଣକ ସିମ୍‌ର ଅସଲି ମାଲିକର ହ୍ୱାଟ୍ସଆପ୍‌, ବ୍ୟାଙ୍କ ଆକାଉଣ୍ଟ ସବୁ ପରିଚାଳନା କରୁଛି । ଏମିତିକି ବେଳେବେଳେ ସିମ୍ ଜରିଆରେ ଅପରାଧ ମଧ୍ୟ ଘଟାଉଛି ।
ଏଭଳି ‘ସିମ୍ ସ୍ୱାଇପ୍‌’ ଗ୍ୟାଙ୍ଗ୍‌ର ୨ଜଣ ସଦସ୍ୟଙ୍କୁ କମିଶନରେଟ୍ ପୁଲିସର ଇନ୍‌ଫୋସିଟି ଥାନା ପୁଲିସ ଗିରଫ କରିଛି ।

ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଅଞ୍ଚଳର କେଶବ ଚନ୍ଦ୍ର ଧୀର୍‌(୨୭) ଓ ରସୁଲଗଡ଼ ନୂଆସାହିର ସଞ୍ଜତ କୁମାର ପଣ୍ଡା(୨୭) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରାଯିବା ନେଇ ଭୁବନେଶ୍ୱର ଡିସିପି ଡ଼. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ୩୫ଜଣ ଗ୍ରାହକଙ୍କ ଭିଆଇପି ମୋବାଇଲ ନମ୍ବର ଡିଆକ୍ଟିଭ୍ କରାଯାଇ ଅନ୍ୟ ସିମ୍‌କାର୍ଡକୁ ସ୍ୱାଇପ୍ କରାଯାଇଥିବା ନେଇ ଏକ ଘରୋଇ ଟେଲିକମ୍ କମ୍ପାନୀ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ସ୍ପେଶାଲସ୍କ୍ୱାଡ୍ ଏହି ମାମଲାର ତଦନ୍ତ କରିଥିଲା । ତଦନ୍ତରୁ ଜାଣିବାକୁ ପାଇଥିଲେ ଯେ, ଉକ୍ତ ଟେଲିକମ୍ କମ୍ପାନୀର ୨ଜଣ ପୁରୁଣା କର୍ମଚାରୀ ଏଭଳି କରିଛନ୍ତି । ସେମାନେ କମ୍ପାନୀର ଏଲ୍‌ଏପିୟୁ ନମ୍ବର ରଖିଥିଲେ ।

ଚାକିରି ଛାଡ଼ିବା ପରେ ଏହି ନମ୍ବରକୁ ବେଆଇନ ଭାବେ ବ୍ୟବହାର କରିଛନ୍ତି । ଏହି ନମ୍ବର ଜରିଆରେ ସେମାନେ ସିମ୍‌କାର୍ଡ ଆକ୍ଟିଭ୍‌, ଡିଆକ୍ଟିଭ୍ , ସ୍ୱାଇପ୍ ଆଦି କରିପାରୁଥିଲେ । ପରେ ବିଭିନ୍ନ ଲୋକଙ୍କ ଫେକ୍ ଡକ୍ୟୁମେଣ୍ଟ ସଂଗ୍ରହ କରି ୩୫ଜଣ ଗ୍ରାହକଙ୍କ ଭିଆଇପି ନମ୍ବର ଯଥା; କମ୍ପାନୀର ୪ ଅଙ୍କ ନମ୍ବର ସିରିଜ୍ ପରେ ୬ଟି ନମ୍ବର ୧୧୧୧୧୧ ବା ୨୨୩୩୪୪ ଅଥବା ୫୫୫୬୬୬ ସିମ୍‌କୁ ସ୍ୱାଇପ୍ କରି ସର୍ଭିସ ପ୍ରୋଭାଇଡର ଜରିଆରେ ଅନ୍ୟ ଟେଲିକମ୍ ନେଟ୍‌ୱାର୍କକୁ ପରିବର୍ତ୍ତନ କରିଦେଇଥିଲେ । ପରେ ଏହି ସିମ୍‌କୁ ୫୦ରୁ ୬୦ହଜାର ଟଙ୍କାରେ ଲୋକଙ୍କୁ ବିକ୍ରି କରିଥିଲେ । ଏସମ୍ପର୍କରେ ଜାଣିବା ପରେ ଶୁକ୍ରବାର ବିଳମ୍ବିତ ରାତିରେ ଅଭିଯୁକ୍ତଦ୍ୱୟଙ୍କ ଘରେ ଚଢ଼ଉ କରି ପୁଲିସ ସେମାନଙ୍କୁ ଗିରଫ କରିଛି । ପରେ ସେମାନଙ୍କ ଠାରୁ ୫ଟି ମୋବାଇଲ୍ ଜବତ କରାଯାଇଛି । ଏହାସହ ସିମ୍‌କାର୍ଡ କିଣିଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ ବୋଲି ଡିସିପି କହିଛନ୍ତି । ସିମ୍ କାର୍ଡ ଏଭଳି ସ୍ୱାଇପ୍ ହେବା ପରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି । ଏହାସହ ବ୍ୟାଙ୍କ ଠକେଇ ମଧ୍ୟ କରାଯାଇପାରିବ । ଏଭଳି ସିମ୍ ସ୍ୱାଇପ୍ ରାକେଟ୍ ସାରା ଦେଶରେ ଚାଲିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking