ମୁମ୍ବାଇ: ଗତବର୍ଷ ଡିସେମ୍ବର ୧୩ ତାରିଖରେ ବିବାହ କରିଥିବା ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । ତାଙ୍କ ବାହାଘର ଏକ ସିକ୍ରେଟ୍ ବାହାଘର ହୋଇଥିବାରୁ ଏକଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |ପୂର୍ବରୁ କେହି ଏ ବିଷୟରେ ସାମାନ୍ୟତମ ସୂଚନା ମଧ୍ୟ ପାଇ ନଥିଲେ । ତେବେ ତାଙ୍କର ଏହି ସିକ୍ରେଟ ବିବାହ ବର୍ଷେ ମଧ୍ୟ ତିଷ୍ଠଲାନି ବୋଲି କୁହା ଯାଉଛି । ବାହାଘରକୁ ବର୍ଷେ ପୂରିବାର ତିନି ଦିନ ପୂର୍ବରୁ ଅର୍ଥାତ୍ ମଙ୍ଗଳବାର ଦିନ ସେ ଓ ତାଙ୍କ ସ୍ୱାମୀ ରୋହିତ ମିତ୍ତଲ ପରସ୍ପରଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ଶ୍ୱେତା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ନିଜେ ଏକ ପୋଷ୍ଟ୍ କରି ଏ କଥା ଘୋଷଣା କରିଛନ୍ତି । ଆଉ ଏହା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଶ୍ୱେତା ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି ଯେ ରୋହିତ ମିତ୍ତଲ ଓ ସେ ଆପୋଷ ବୁଝାମଣାରେ ପରସ୍ପରଠାରୁ ପୃଥକ ହେବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ମାସ ଧରି ଗଭୀର ଚିନ୍ତା କରିବା ପରେ ସେମାନେ ଏହିଭଳି ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଭାବେ ପରସ୍ପରର ମଙ୍ଗଳ ପାଇଁ ସେମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି।
ସେ ଆହୁରି ଲେଖିଛନ୍ତି, ସବୁ ବହିର ଯେ ପ୍ରତିପୃଷ୍ଠା ପଢ଼ାଯିବ ସେମିତି କିଛି ନାହିଁ। ଏହାର ଅର୍ଥ ନୁହେଁ ଯେ ବହିଟି ଖରାପ କିମ୍ବା ଜଣେ ପଢ଼ିପାରିବ ନାହିଁ। କିଛି କାର୍ଯ୍ୟ ଅଛି ଯେଉଁଗୁଡ଼ିକୁ ଶେଷ ନ କଲେ ଭଲ। ଏହା ସହିତ ତାଙ୍କ ଜୀବନରେ କିଛି ଅଭୁଲା ସ୍ମୃତି ଭରି ଦେଇଥିବାରୁ ସେ ରୋହିତ ମିତ୍ତଲଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ତାଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଗତବର୍ଷ ଡିସେମ୍ବର ୧୩ରେ ଶ୍ୱେତା ଓ ଫିଲ୍ମ ନିର୍ମାତା ରୋହିତ ମିତ୍ତଲଙ୍କ ବିବାହ ପୁନେର ଏକ ହୋଟେଲ୍ରେ ହୋଇଥିଲା। ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତିରେ ସେମାନଙ୍କ ବାହାଘର ହୋଇଥିଲା। ଏ ବାହାଘର ସମ୍ପର୍କରେ କାହାକୁ ଜଣା ନଥିଲା। ଲୁଚିଛପି ସେମାନେ ବାହା ହୋଇଥିଲେ। ତେବେ ସୋଶାଲ୍ ମିଡିଆରେ ବାହାଘରର ଫଟୋ ଲିକ୍ ହୋଇଯାଇଥିଲା ଓ ଏହା ପରେ ଏହି ଖବର ଚାରିଆଡ଼େ ବ୍ୟାପୀ ଯାଇଥିଲା। ଶ୍ୱେତା ଏଭଳି ଲୁଚିଛପି ବାହାହେବା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ମାସ ତଳେ ଶ୍ୱେତା ଓ ରୋହିତ ଛୁଟି କାଟିବାକୁ ଇଟାଲୀ ଯାଇଥିଲେ। ସେମାନଙ୍କର ସେଠାକାର କିଛି ଫଟୋ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା, ଯେଉଁଗୁଡ଼ିକୁ ଦେଖି ସେମାନେ ବେଶ୍ ଖୁସି ଥିବା ଜଣାପଡ଼ୁଥିଲା । ତେଣୁ ଶ୍ୱେତାଙ୍କ ଗତକାଲିର ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।