ସରି: ବ୍ରିଟିସ୍ କଲମ୍ବିଆର କାନଡୀୟ ପ୍ରଦେଶ ଅନ୍ତର୍ଗତ ସରି ସହରରେ ଥିବା ଜଣେ ବିଶିଷ୍ଟ ହିନ୍ଦୁ ବ୍ୟବସାୟୀଙ୍କ ଘର ଉପରକୁ ଗୁଳି ଚଳାଯାଇଥିବା ଘଟଣା ସମନ୍ନାକୁ ଆସିଛି ।ସୂଚନା ଅନୁଯାଇ, ଡିସେମ୍ବର ୨୭ ତାରିଖ ସକାଳ ପ୍ରାୟ ୮.୦୩ରେ ୮୦ ଆଭେନ୍ୟୁ ଅନ୍ତର୍ଗତ ୧୪୯୦୦ ବ୍ଲକ୍ରେ ଉପରୋକ୍ତ ଘଟଣା ଘଟିଛି। ସରି ରୟାଲ୍ କାନାଡିଆନ୍ ମାଉଣ୍ଟେଡ୍ ପୋଲିସ୍ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଗୁଳି ବର୍ଷଣ ହୋଇଥିବା ଘରଟି ସରିସ୍ଥିତ ‘ଲକ୍ଷ୍ମୀ ନାରାୟଣ ମନ୍ଦିର’ର ଅଧ୍ୟକ୍ଷ ସତୀଶ କୁମାରଙ୍କ ବଡ଼ପୁଅଙ୍କର।ଗଣମାଧ୍ୟମକୁ ସତୀଶ କୁମାର କହିଛନ୍ତି ଯେ, ତାଙ୍କ ପୁଅ ଘର ଉପରକୁ ଅନ୍ୟୂନ ୧୪ ରାଉଣ୍ଡ୍ ଗୁଳି ଚଳାଯାଇଛି। ଏହି ଗୁଳିକାଣ୍ଡରେ କେହି ମୃତାହତ ହୋଇ ନ ଥିଲେ ବି ଘର କାନ୍ଥରେ ଗୁଳି ବାଜି ଗାତ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଦୀର୍ଘ ସମୟ ଉପସ୍ଥିତ ରହି ପୁଲିସ ପ୍ରମାଣ ସଂଗ୍ରହ କରିବା, ପ୍ରତ୍ୟେକ୍ଷଦର୍ଶୀମାନଙ୍କୁ ପଚରା ପଚରି କରିବା ସହିତ ‘ସିସିଟିଭି’ ଫୁଟେଜ୍ ଦେବା ନିମନ୍ତେ ସ୍ଥାନୀୟ ଲୋକମାନଙ୍କୁ ଅନୁରୋଧ କରିଛି। ସରି ‘ଆର୍ସିଏମ୍ପି’ ଜେନେରାଲ୍ ଇନ୍ଭେଷ୍ଟିଗେସନ୍ ୟୁନିଟ୍ ଏହି ତଦନ୍ତ ଦାୟିତ୍ବ ନେଇଛି। ଏହି ଆକ୍ରମଣର କାରଣ ଜାଣିବା ପାଇଁ ପୁଲିସ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।