31.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶଶେଖ୍ ହସିନାଙ୍କୁ ୬ ମାସ ଜେଲଦଣ୍ଡ

ଶେଖ୍ ହସିନାଙ୍କୁ ୬ ମାସ ଜେଲଦଣ୍ଡ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଅଦାଲତ ଅବମାନନା ଅଭିଯୋଗ ଆଧାରରେ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଫଳରେ ହସିନାଙ୍କ ପାଇଁ ସମସ୍ୟା ଏବେ ଅଧିକ ବଢ଼ିଯାଇଛି ବୋଲି କୁହାଯାଉଛି । ରିପୋର୍ଟ ଅନୁସାରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ୍ ଦଣ୍ଡାଦେଶ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ବୁଧବାର ମାମଲାର ଶୁଣାଣି କରି ଏକ ତିନି ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ତାଙ୍କ ରାୟ ଦେଇଛନ୍ତି । ପୂର୍ବରୁ ଟ୍ରିବ୍ୟୁନାଲ୍ ତାଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ । କିନ୍ତୁ ହସିନା ଏହି ତାରିଖ ସୁଦ୍ଧା ହାଜର ନହେବାରୁ ଟ୍ରିବ୍ୟୁନାଲ୍ ତାଙ୍କୁ ଅଦାଲତ୍ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ବାଂଲାଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କୁ ଛଅ ମାସ ଜେଲଦଣ୍ଡ ଦିଆଯାଇଛି ।

‘ଢାକା ଟ୍ରିବ୍ୟୁନ’ ରିପୋର୍ଟ ଅନୁଯାୟୀ, ଜଷ୍ଟିସ ମହମ୍ମଦ ଗୁଲାମ ମୁର୍ତାଜା ମଜୁମଦାର ଶେଖ ହସିନାଙ୍କ ମାମଲାର ଶୁଣାଣି କରିଥିଲେ । ରିପୋର୍ଟ ଅନୁଯାୟୀ, ଗତ ବର୍ଷ ଶେଖ ହସିନାଙ୍କ ଏକ ଅଡିଓ କ୍ଲିପ୍ ଲିକ୍ ହୋଇଥିଲା । ଲିକ୍ ଅଡିଓ କ୍ଲିପ୍‌ଟି ଶେଖ୍ ହସିନା ଏବଂ ଗୋବିନ୍ଦଗଞ୍ଜ ଉପଜିଲ୍ଲା ଅଧ୍ୟକ୍ଷ ଶକିଲ ବୁଲବୁଲଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମ୍ବଳିତ । ଏହି ସମୟରେ ହସିନା ବୁଲବୁଲ୍‌ଙ୍କୁ ‘ତାଙ୍କ ବିରୋଧରେ ୨୨୭ଟି ମାମଲା ରୁଜୁ ହୋଇଛି, ତେଣୁ ସେ ଏହି ଲୋକମାନଙ୍କୁ ହତ୍ୟା କରିବାକୁ ଲାଇସେନ୍ସ ପାଇଛନ୍ତି’ ବୋଲି କହୁଥିବାର ଶୁଣିବାକୁ ମିଳିଛି । ଏହି ଅଡିଓ କ୍ଲିପ୍ ଲିକ୍ ହେବା ପରେ ହସିନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଯାହାଉପରେ ଶୁଣାଣି ଆରମ୍ଭ କରିଛନ୍ତି ଟ୍ରିବ୍ୟୁନାଲ୍ । ଏହି ମାମଲାରେ ଟ୍ରିବ୍ୟୁନାଲ୍ ତାଙ୍କୁ ବାରମ୍ବାର ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ହସିନା ଉପସ୍ଥିତ ହୋଇନଥିଲେ । ଅନ୍ୟପକ୍ଷେ କୋର୍ଟ ଅବମାନନା ମାମଲାରେ ଶକିଲ ବୁଲବୁଲଙ୍କୁ ୨ ମାସର ଜେଲଦଣ୍ଡ ଦିଆଯାଇଛି । ବୁଲବୁଲ ଢାକାର ଜଣେ ରାଜନୈତିକ ବ୍ୟକ୍ତିତ୍ୱ ଏବଂ ଆୱାମୀ ଲିଗର ଛାତ୍ର ଶାଖା ବାଂଲାଦେଶ ଛାତ୍ର ଲିଗ ସହିତ ଜଡିତ । ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରାୟ ୧,୪୦୦ ଲୋକଙ୍କୁ ହତ୍ୟା କରାଯାଇଥିଲା ।

ବାଂଲାଦେଶରେ ଛାତ୍ର ଭେଦଭାବ ବିରୁଦ୍ଧରେ ଷ୍ଟୁଡେଣ୍ଟ ଏଗେନଷ୍ଟ ଡିସ୍କ୍ରିମିନେଶନ (ଏସ୍‌ଏଡି) ଦ୍ୱାରା ହୋଇଥିବା ହିଂସାତ୍ମକ ପ୍ରତିବାଦ ପରେ ଶେଖ ହସିନାଙ୍କୁ ଅଗଷ୍ଟ ୨୦୨୪ରେ ପଦରୁ ହଟାଇ ଦିଆଯାଇଥିଲା । ସରକାରୀ ଚାକିରିରେ କୋଟା ସଂସ୍କାର ଦାବି ସହିତ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା, କିନ୍ତୁ ଏହା ବହୁତ ହିଂସାତ୍ମକ ରୂପ ନେଇଥିଲା । ତେବେ ଏହି ହିଂସାତ୍ମକ ପ୍ରତିବାଦ ସମୟରେ ହସିନା ବାଂଲାଦେଶରୁ ଭାରତ ପଳାଇ ଆସିଥିଲେ । ତିନି ଦିନ ପରେ, ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଶାସନର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking