ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ତାଙ୍କ ବିବାହ ଖବର ଉପରେ ଆଜି ଶେଷରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ନିଜ ନୀରବତା ଭାଙ୍ଗିଛନ୍ତି । ଜଣେ ୟୁ-ଟ୍ୟୁବରଙ୍କ ପଡ୍କାଷ୍ଟ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଶାମି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେ ଯେତେବେଳେ ନିଜ ମୋବାଇଲ ଖୋଲୁଛନ୍ତି ସେତେବେଳେ ଏପ୍ରକାର ମେମ୍ସ୍ସବୁ ଦେଖିବାକୁ ପାଉଛନ୍ତି । ସେ ଏହା ମଧ୍ୟ ସ୍ୱୀକାର କରୁଛନ୍ତି ଯେ, ଏପ୍ରକାର ମେମ୍ସ ସବୁ କେବଳ ଏଣ୍ଟରଟେନ୍ମେଣ୍ଟ ପାଇଁ ଭଲ ହୋଇପାରେ । କିନ୍ତୁ ଏସବୁ କରିବା ପୂର୍ବରୁ ଭଲଭାବେ ଜାଣିରଖିବା ଉଚିତ୍ ଯେ, ଏସବୁ କାହାର ବ୍ୟକ୍ତିଗତ ଭାବନାକୁ କୁଠାରଘାତ କରିବ । ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଯାହା କିଛି ସବୁ ଏବେ ଭାଇରାଲ ହେଉଛି ସେସବୁ କେବଳ ଏକ ଗୁଜବ ଯେଉଁଥିରେ କୌଣସି ବାସ୍ତବିକତା ନାହିଁ ।
ଏହି ପରିପ୍ରେକ୍ଷୀରେ ଏସବୁ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କୁ ଶାମି କଡା ଜବାବ ମଧ୍ୟ ଦେଇଛନ୍ତି । ଶାମି କହିଛନ୍ତି ଯେ, ସୋସିଆଲ ମିଡିଆରେ ଅନ୍ ଭେରିଫାଏଡ୍ ପେଜ୍ରେ କିଛି ଟିପ୍ପଣୀ ଲେଖି ବା କହିବା ସେସବୁକୁ ମେମ୍ସ ରୂପ ଦେବା କିମ୍ବା ସେସବୁକୁ ଭାଇରାଲ୍ କରିବା କିଛି ବଡ଼ କଥା ନୁହେଁ । କାରଣ ଏଭଳି ପେଜ୍ର କୌଣସି ଅସ୍ତିତ୍ୱ ନଥାଏ । ମତ ମନ୍ତବ୍ୟ ଦେଉଥିବା ବ୍ୟକ୍ତିର ନାମ କିମ୍ବା ଠିକଣା ମଧ୍ୟ କାହାକୁ ଜଣାନଥାଏ । କିନ୍ତୁ ଯଦି ବାସ୍ତବରେ ସାହସ ଅଛି ତେବେ ଭେରିଫାଏଡ୍ ପେଜ୍ରେ ସେସବୁ ମନ୍ତବ୍ୟ ଦିଅ, ଯାହା କହିବାର ଅଛି କୁହ । ତେବେ ଯାଇ ସେ (ଶାମି) ଏସବୁର ଉଚିତ୍ ଜବାବ ଦେବେ । ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ନିନ୍ଦା କରିବାକୁ ଯାଇ ଶାମି କହିଥିôଲେ ଯେ, ନିଜର ଏଣ୍ଟରଟେନ୍ମେଣ୍ଟ ପାଇଁ, ଲାଇକ୍, ଫଲୋଅର୍ସ ବଢ଼ାଇବା ପାଇଁ ଅନ୍ୟର ଗୋଡ ଟାଣିବା ବହୁତ ସହଜ ଅଟେ । ଏସବୁ ଯେକେହି ଶସ୍ତା ଲୋକପ୍ରିୟତା ହାସଲ କରିବାକୁ କରିପାରିବ । କିନ୍ତୁ ସଫଳତା ହାସଲ କରିବା, ଲେଭ୍ଲ ବଢାଇବା ଦ୍ୱାରା ଜଣେ ଭଲ ଲୋକର ସମ୍ମାନ ମିଳିପାରିବ ।
ଶାମିଙ୍କର ତାଙ୍କ ପତ୍ନୀ ହସିନ୍ ଜାହାନଠାରୁ ଛାଡପତ୍ର ହୋଇଥିଲା । ହସିନ ଜାହାନ ଶାମିଙ୍କ ଉପରେ ଆକ୍ରମଣ ଏବଂ ଘରୋଇ ହିଂସା ସମେତ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ । ସେହିପରି ସାନିଆ ମିର୍ଜା ମଧ୍ୟ ଚଳିତ ବର୍ଷ ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ମଲିକଙ୍କ ସହ ତାଙ୍କର ୧୩ବର୍ଷର ସମ୍ପର୍କକୁ ଶେଷ କରିଛନ୍ତି । ଶୋଏବ ମଲିକ ପାକିସ୍ତାନୀ ମଡେଲ ସାନା ଜାଭେଦଙ୍କୁ ବିବାହ କରିଥିଲେ । ତେବେ ସମୟକ୍ରମେ ସୋସିଆଲ ମିଡିଆରେ ଏକ ମେମ୍ସ ଜୋରସୋରରେ ଭାଇରାଲ୍ ହୋଇଥିଲା ଯେ, ଶାମି ଓ ସାନିଆ ଖୁବଶୀଘ୍ର ବିବାହ କରିବେ । ସେବେଠାରୁ ସୋସିଆଲ ମିଡିଆରେ ଉଭୟଙ୍କର ବିବାହର ଗୁଜବ ପ୍ରଚାରିତ ହୋଇଆସୁଛି । ତେବେ ବର୍ତ୍ତମାନ ସୁଦ୍ଧା ସାନିଆ ଏସମ୍ପର୍କରେ ଚୁପ୍ ରହିଥିବା ବେଳେ ଶାମି ଖୁଲମ୍ଖୁଲ୍ଲା ନିଜ ପ୍ରତିକ୍ରିୟା ରଖିଛନ୍ତି । ସୂଚନାଯୋଗ୍ୟ, ସାନିଆଙ୍କ ବାପା ଇମ୍ରାନ୍ ମିର୍ଜା ମଧ୍ୟ ଏଭଳି ସମ୍ବାଦକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏସବୁକୁ କେବଳ ଗୁଜବ ବୋଲି କହିଥିଲେ । ସେ ଏପରି ଖବର ପ୍ରସାରଣ ନକରିବାକୁ ନିବେଦନ ମଧ୍ୟ କରିଥିଲେ । ବର୍ତ୍ତମାନ ଶାମିନିଜେ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି । ଶାମି ମଧ୍ୟ ସମସ୍ତଙ୍କୁ ସୋସିଆଲ ମିଡିଆରେ ଏଭଳି ଭିତ୍ତିହୀନ ଖବର ପ୍ରଚାର ନକରିବାକୁ ଅନୁରୋଧ କରିଛନ୍ତି ।










