ଭୋପାଳ: ମଧ୍ୟ ପ୍ରଦେଶରେ ଲଜ୍ଜା । ସାବତ ବାପାର ନାରକୀୟ କାଣ୍ଡ । ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସାବତ ବାପା । ନିଜ ପାପ ଲୁଚାଇବାକୁ ଯାଇ ଝିଅକୁ ହତ୍ୟା କରିବା ପରେ ରେଲଓ୍ବେ ଷ୍ଟେସନ କ୍ରସିଂରେ ଫୋପାଡି ଦେଲା ସଇତାନ ବାପା । ମୃତ୍ୟୁର ଦୁଇ ଦିନ ପରେ ପୁରା ଘଟଣାର ପର୍ଦାଫାସ କଲା ପୋଲିସ । ହତ୍ୟାକାରୀ ସାବତ ବାପା ସହଦେବକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଶନିବାର ଦିନ ଗୋରେଘାଟ ରେଳ କ୍ରସିଂ ନିକଟରେ ନାବାଳିକାର ମୃତଦେହ ପଡଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ କରିଥିଲା । ତଦନ୍ତ ସମୟରେ ପୋଲିସ ନାବାଳିକା ହତ୍ୟାର କାରଣ ଜାଣିବାକୁ ପାଇଥିଲା । ନାବାଳିକାର ସାବତ ବାପା ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା । ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହେବାରୁ ନିଜ କୁକର୍ମକୁ ଲୁଚାଇବାକୁ ଯାଇ ସେ ଝିଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ ।