ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଗତ କିଛି ଦିନ ହେବ ନିଜ ଦେଶର ବାସ୍ତବତାଠାରୁ ଦୂରେଇ ରହିବା ପରିବର୍ତ୍ତେ ପ୍ରକୃତ ପରିସ୍ଥିତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଉଛନ୍ତି । ନିକଟରେ ସେ ପାକିସ୍ତାନ ପାଇଁ ବାରମ୍ବାର ଋଣ ମାଗିବାକୁ ଭିକ ମାଗିବ ସହ ତୁଳନା କରିଥିଲେ ଏବଂ କହିଥିଲେ ଯେ, ତାଙ୍କୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ୁଛି । ଏବେ ସେ ଭାରତ ସହ ସମ୍ପର୍କକୁ ନେଇ ମଧ୍ୟ ବୟାନ ଦେଇଛନ୍ତି । ଶରିଫ କହିଛନ୍ତି, ଭାରତ ସହ ୩ଟି ଯୁଦ୍ଧ ପରେ ତାଙ୍କ ଦେଶ ବୁଦ୍ଧି ଶିଖିଛି । ପଶ୍ଚିମ ଏସିଆର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଅଲ-ଆରବିୟାକୁ ଦେଇଥିବା ଏକ ସାକ୍ଷାତକାରରେ ଯେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭାରତ ସହ ସମ୍ପର୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଯେ, ସ୍ୱାଧୀନତା ପରଠାରୁ ତିନୋଟି ଯୁଦ୍ଧ ପରେ ପାକିସ୍ତାନ ଉଚିତ୍ ଶିକ୍ଷା ପାଇଛି ଏବଂ ବର୍ତ୍ତମାନ ସେ ଶାନ୍ତି ଚାହୁଁଛନ୍ତି ।
ସେ ଚ୍ୟାନେଲ ମାଧ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ନିବେଦନ କରିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଶାନ୍ତି ଚାହୁଁଛି, କିନ୍ତୁ କାଶ୍ମୀରରେ ଯାହା ସବୁ ଘଟୁଛି ତାହା ବନ୍ଦ ହେବା ଉଚିତ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥର ଶରିଫ କାଶ୍ମୀରକୁ ନେଇ ଭାରତକୁ କୌଣସି ଧମକ ଦେଇନାହାଁନ୍ତି, ବରଂ ଭାରତ ସହ ଆଲୋଚନା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ତେବେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ସମ୍ପର୍କରେ ମିଥ୍ୟା ଅଭିଯୋଗ କରିବାକୁ ସେ ପଛେଇ ନଥିଲେ ଏବଂ କହିଥିଲେ ଯେ, ଏହି ପଦକ୍ଷେପକୁ ଅଣଦେଖା କରାଯାଇପାରିବ ନାହିଁ ।
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆମ ପାଖରେ ଇଞ୍ଜିନିୟର ଅଛନ୍ତି, ଡାକ୍ତର ଅଛନ୍ତି ଏବଂ କୁଶଳୀ କାରିଗର ଅଛନ୍ତି । ଆମେ ଏହି ସମ୍ପତ୍ତିଗୁଡ଼ିକୁ ଅଞ୍ଚଳରେ ସମୃଦ୍ଧି ଏବଂ ଶାନ୍ତି ଆଣିବା ପାଇଁ ବ୍ୟବହାର କରିବାକୁ ଚାହୁଁଛୁ, ଯଦ୍ୱାରା ଉଭୟ ଦେଶର ବିକାଶ ହୋଇପାରିବ । ଏହା ଆମ ଉପରେ ନିର୍ଭର କରୁଛି ଯେ, ଆମେ ଶାନ୍ତିରେ ବଞ୍ଚି ପ୍ରଗତି କରିବା ନା ପରସ୍ପର ସହ ଲଢି ନିଜ ସମୟ ଏବଂ ସମ୍ବଳ ନଷ୍ଟ କରିବା । ସେ ଆହୁରି କହିଛନ୍ତି, “ଆମେ ଭାରତ ସହିତ ତିନୋଟି ଯୁଦ୍ଧ ଲଢିଛୁ ଏବଂ ଏହା କେବଳ ଲୋକଙ୍କ ପାଇଁ ଦୁଃଖ, ଦାରିଦ୍ର୍ୟ ଏବଂ ବେରୋଜଗାରୀ ଆଣିଦେଇଛି । ଆମେ ବୁଦ୍ଧି ଶିଖିଲୁ ଏବଂ ବର୍ତ୍ତମାନ ଶାନ୍ତିରେ ରହିବାକୁ ଚାହୁଁଛୁ, ବାସ କେବଳ ଆମ ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ ହୋଇଯାଉ ।