ଲଜ୍ଜା ସହି ନପାରି ଆତ୍ମହତ୍ୟା କଲେ ମହିଳା
ଖଲ୍ଲିକୋଟ: ଜଣେ ଯୁବକ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାକୁ ଆସି ଗାଁ ଲୋକଙ୍କ ଦ୍ୱାରା ଅଟକ ରହି ଛେଚା ଖାଇଲେ। ଗାଁରେ କଙ୍ଗାରୁ କୋର୍ଟରେ ବିଚାର କରି ଅଟକ ଯୁବକକୁ ଲଣ୍ଡା କରାଯିବା ସହ ଚୂନ କାଳି ବୋଳି, ଚପଲ ମାଳ ପକେଇ ଗାଁରେ ବୁଲାଇଲେ ଗ୍ରାମବାସୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମରେ । ଯୁବକ ଜଣଙ୍କ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ପଞ୍ଚାୟତର ବାଗଲପୁର ଗ୍ରାମର ସୁଶାନ୍ତ ସ୍ୱାଇଁ । ଦୀର୍ଘ ଦିନ ହେଲା ପାଖ ଗାଁ ତେନ୍ତୁଳିଆପଲ୍ଲୀ ଗ୍ରାମର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ଆସୁଥିଲେ ।
ତେବେ ଗତକାଲି ସୁଶାନ୍ତ ସମ୍ପୃକ୍ତ ମହିଳାଙ୍କ ସହ ଦେଖା କରିବାକୁ ମଧ୍ୟ ରାତ୍ରରେ ତାଙ୍କ ଘରକୁ ଆସିଥିଲେ । ମହିଳାଙ୍କ ଘରେ ସୁଶାନ୍ତ ପଶିଥିବା ଦେଖି ଗାଁ ଲୋକେ ତାକୁ ଧରିବା ସହ ରାତିସାରା ଅଟକ ରଖିଥିଲେ । ଆଜି ସକାଳୁ ଗାଁରେ ବୈଠକ କରି ସୁଶାନ୍ତକୁ ଲଣ୍ଡା କରିବା ସହ ଚୂନ କାଳି ବୋଳି, ଚପଲ ମାଳ ପକେଇ ଗାଁ ସାରା ବୁଲାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ଭେଜିପୁଟ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଯୁବକଙ୍କୁ ଉଦ୍ଧାର କରି ଫାଣ୍ଡିକୁ ଆଣିଥିଲେ । ସୁଶାନ୍ତଙ୍କୁ ଫାଣ୍ଡିରେ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଥିବା ବେଳେ ମହିଳା ଜଣଙ୍କ ଲୋକ ଲଜ୍ଜା ସହି ନପାରି ନିଜ ଘରେ ବିଷାକ୍ତ ଦ୍ରବ୍ୟ ପାନ କରି ଦେଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।