ବ୍ୟୁରୋ : ବଙ୍ଗୋପସାଗରରେ ଭୂମିକମ୍ପ । ବିଳମ୍ବିତ ରାତିରେ ମଝି ସମୁଦ୍ରରେ ଭୂମିକମ୍ପ ଅନୁଭୂତ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବଙ୍ଗୋପସାଗରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ସୋମବାର ଅପରାହ୍ନ ୧.୨୯ ରେ ଏହି ଭୂକମ୍ପ ଘଟିଛି। ୭୦ କିଲୋମିଟରରେ ଏହି ଭୂକମ୍ପର ଗଭୀରତା ରେକର୍ଡ କରାଯାଇଥିଲା। ଏହାପୂର୍ବରୁ ଆଫଗାନିସ୍ତାନ ଏବଂ ତିବ୍ଦତରେ ମଧ୍ୟ ଭୂକମ୍ପ ହେତୁ ପୃଥିବୀ କମ୍ପିତ ହୋଇଥିଲା। ଭାରତ ଓ ଶ୍ରୀଲଙ୍କା ଉପକୂଳରୁ କିଛି କିଲୋମିଟର ଦୂରରେ ଏହାର କେନ୍ଦ୍ର ରହିଛି। ଭୂମିକମ୍ପର ତୀବ୍ରତା ୪.୪ ରହିଥିବା ବେଳେ ଏହାର ପ୍ରଭାବ ୭୦ କିଲୋମିଟର ଗଭୀରତା ଏବଂ ୮୪.୧୨ କିଲୋମିଟର ବିସ୍ତାରିତ ଅଞ୍ଚଳରେ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ଏକ୍ସ ପ୍ଲାଟଫର୍ମରେ ଏନେଇ ସୂଚନା ଦେଇଛି।ଏହା ପୂର୍ବରୁ ଶୁକ୍ରବାର ରାତିରେ ମରକ୍କୋରେ ଘଟିଥିବା ଭୟଙ୍କର ଭୂକମ୍ପ ବ୍ୟାପକ ଧ୍ୱଂସାବଶେଷ ସୃଷ୍ଟି କରିଛି। ସୂଚନା ଅନୁଯାଇ, ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ମରକ୍କୋ ସହରରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ ଅନୁସାରେ ଏହି ଭୂକମ୍ପର ତୀବ୍ରତା ୬.୮ ଥିବା ଜଣାପଡିଥିଲା । ଏହି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୨୦୦୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଏହି ଭୂକମ୍ପରେ ସାରା ମରକ୍କୋ ସହରରେ ଭୟଙ୍କର ବାତାବରଣ ଖେଳିଯାଇଥିଲା । ଏହାସହ ଅଲ ହୌଜ, ଓଆରଜାଟେ, ଅଜିଲାଲ, ଚିଚାଓଆ ଆଦି ଅଞ୍ଚଳରେ ହୋଇଥିଲା କମ୍ପନ। ମରକ୍କୋ ମାରାକେଶର ଦକ୍ଷିଣ-ପଶ୍ଚିମର ୭୨ କିଲୋମିଟର ଦୂରରେ ସୃଷ୍ଟି ହୋଇଥିଲା ଏହି ଭୂକମ୍ପ । ଭୂକମ୍ପ ଏତେ ଭୟଙ୍କର ଓ ଶକ୍ତିଶାଳୀ ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିଲା ।