18.1 C
Bhubaneswar
Saturday, November 23, 2024
Homeଓଡିଶାଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଭୟଙ୍କର ମରୁଡ଼ି ପରିସ୍ଥିତି; ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କଂଗ୍ରେସ...

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଂଚଳରେ ଭୟଙ୍କର ମରୁଡ଼ି ପରିସ୍ଥିତି; ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କଂଗ୍ରେସ ଟିମ୍‌

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ୨୨ଟି ବ୍ଳକର ବିଭିନ୍ନ ଅଂଚଳରେ ବର୍ତମାନ ଭୟଙ୍କର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଚାଷକୂଳ ବହୁ ଚିନ୍ତାରେ । ଆଖି ଆଗରେ ବର୍ଷକର ଫସଲ ଉଜୁଡ଼ି ଯାଇଛି । ଧାନ ଫସଲ ଜଳିପୋଡ଼ି ନଷ୍ଟ ହେବା ସହ ଜମି ଫାଟି ଆଁ କରିଛି । ବନ୍ଧ, ଗାଡ଼ିଆ, ଜଳାଶୟ ସବୁ ଶୁଷ୍କ ଅବସ୍ଥାରେ । ଚାଷ କ୍ଷେତକୁ ଜଳସେଚନ ସୁବିଧା ନ ଥିବା ଯୋଗୁଁ ଫସଲ ହାନୀ ଏଠାରେ ମୁଖ୍ୟ କାରଣ ହୋଇଛି । ଫଳରେ ହଜାର ହଜାର ଚାଷୀ ଗାଁ ଗଣ୍ଡା ଛାଡ଼ି ବାହାର ରାଜ୍ୟକୁ ଦାଦନ ଯିବାକୁ ବାହାରିଲେଣି । ଆଜି ପର୍ଯ୍ୟନ୍ତ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁଃସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇ ନଥିବା କ୍ଷତିଗ୍ରସ୍ତ ଚାଷୀମାନେ ଅଭିଯୋଗ କରିଛନ୍ତି । କ୍ଷୟ କ୍ଷତି ଓ ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନା କରାଯାଇ ସରକାରଙ୍କ ପକ୍ଷରୁ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଧ୍ୟାନକାରୀ ଟିମ୍ ଗତ ୧୪ ତାରିଖ ଦିନ ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଭଞ୍ଜନଗର, ସୋରଡ଼ା ବ୍ଳକର ବିଭିନ୍ନ ଅଂଚଳ ଗସ୍ତକରି କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହିତ ଆଲୋଚନା କରିବା ସହ କ୍ଷେତକୁ ଯାଇ ମରୁଡ଼ି ସ୍ଥିତି ଅନୁଧ୍ୟାନ କରିଥିଲେ ।

ପୁନଶ୍ଚ ଗତ ୧୬ ତାରିଖ ଦିନ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନାଙ୍କ ନେତୃତ୍ୱରେ ଏକ ୨୧ ଜଣିଆ ଟିମ୍ ଦିଗପହଣ୍ଡି, ସାନଖେମୁଣ୍ଡି, କୁକୁଡ଼ାଖଣ୍ଡି, ଧରାକୋଟ ପ୍ରଭୃତି ମରୁଡ଼ି ପ୍ରଭାବିତ ୧୪ଗୋଟି ସ୍ଥାନକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଏହାପରେ ଏହି ପ୍ରତିନିଧି ମଣ୍ଡଳୀ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛତ୍ରପୁରଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳ ତରଫରୁ ମରୁଡ଼ି ସ୍ଥିତି ଅନୁଧ୍ୟାନ କରାଯାଇଥିବା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ଥିତି ଅନୁଧ୍ୟାନ ପାଇଁ ବିଶେଷ ତତ୍ପରତା ପ୍ରକାଶ ପାଇ ନ ଥିବା ହେତୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଗଭୀର କ୍ଷୋଭ ପ୍ରକାଶ କରି କହିଲେ ଯେ, ପ୍ରଶାସନ ତରଫରୁ ତୁରନ୍ତ ବିଭିନ୍ନ ଅଂଚଳକୁ ଅଧିକାରୀମାନେ ଗସ୍ତକରି ଫସଲ କ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ଚାଷୀମାନଙ୍କର ଏପରି ଦୂରାବସ୍ଥା ସମୟରେ ସରକାରଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବୀ କରିଥିଲେ ।

ବିଶେଷ କରି ଫସଲ କ୍ଷତିଗ୍ରସ୍ତ ଅଂଚଳଗୁଡ଼ିକୁ ମରୁଡ଼ି ଅଂଚଳ ଘୋଷଣା, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଚ୍ଛା ୨୫ ହଜାର ଟଙ୍କା ସହାୟତା, ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼, ମାଗଣା ବିଜୁଳି, ସୋଲାର ପମ୍ପସେଟ୍ ପ୍ରଦାନ, ବତର ଥିବା ଅଂଚଳଗୁଡ଼ିକରେ ଡାଲି ପ୍ରଭୃତି ତୈଳବୀଜ ଜାତୀୟ ବିହନ ଯୋଗାଣ, ଉଦ୍ୟାନ ବିଭାଗ ପକ୍ଷରୁ ପନିପରିବା ମିନିକିଟ୍ସ ପ୍ରଦାନ, ଅଧିକୃତ ଫସଲ ବୀମା କ୍ଷତିପୂରଣ ପ୍ରଦାନ, କୃଷିକ୍ଷେତ୍ରରେ ମନରେଗା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ, ଭାଗଚାଷୀମାନଙ୍କୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦେବାକୁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଯଦି ଏ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରା ନ ଯାଏ, ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ସରକାର ଓ ଜିଲ୍ଲା ପ୍ରଶାସନ ବିରୁଦ୍ଧରେ ଚାଷୀ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଧାୟକ ଶ୍ରୀ ଜେନା କହିଛନ୍ତି ।

ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଶ୍ୟାମ ସୁନ୍ଦର ଦୋରା, ରାଜ୍ୟ ଉପାଧ୍ୟକ୍ଷ ବୃନ୍ଦାବନ ଖଟେଇ, ସାଧାରଣ ସମ୍ପାଦକ ସାଇ ପ୍ରସାଦ ପାତ୍ର, ପଦ୍ମ ଚରଣ ସାହୁ, ରାମ ବିଶ୍ୱାସରାୟ, ସୁବାଷ ରାଉତ, ବ୍ଳକ କଂଗ୍ରେସ ସଭାପତି ପି. ଶିବ ପ୍ରସାଦ ଦୋରା, ଅଭିମନ୍ୟୁ ଜାନୁ, ବାବୁଲା ଦୋରା, ଭାଗିରଥୀ ବେହେରା, ଅବନୀ ଶତପଥୀ, ଭୋକଲି ସେଠୀ, ଦଣ୍ଡପାଣି ପାତ୍ର, ଶଙ୍କର ଅଧିକାରୀ, ସେହିପରି ଭଞ୍ଜନଗର ସବ୍‌ଡ଼ିଭିଜନ ସ୍ତରରେ ଜଗନ୍ନାଥପ୍ରସାଦ ବ୍ଳକ କଂଗ୍ରେସ ସଭାପତି ବିଦ୍ୟାଧର ପ୍ରଧାନ, ନଗର କଂଗ୍ରେସ ସଭାପତି ସନ୍ତୋଷ ପଟ୍ଟନାୟକ, ଏ.ଆଇ.ସି.ସି ସଦସ୍ୟ ବିସ୍ମୟ ମହାପାତ୍ର, ପିସିସି ସଭ୍ୟ ଦେବୀ ବିଶୋଇ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଶୋଇ, ପ୍ରଦେଶ କଂଗ୍ରେସ ସମ୍ପାଦକ ସୁକାନ୍ତ ଦିଗାଲ, ନାରାୟଣ ସେଠୀ, ସୋରଡ଼ା ବ୍ଳକ ସଭାପତି ହରେକୃଷ୍ଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking