ମୟୁରଭଞ୍ଜ : ହ୍ମାଟ୍ସଅପ୍ ଗ୍ରୁପ ମାଧ୍ୟମରେ ଯୁବତୀ ଓ ନାବାଳିକାଙ୍କ ବିଭିନ୍ନ ଅଶ୍ଳୀଳ ଫଟୋ ପ୍ରଘଟ କରୁଥିବା ବିନ୍ଦାସ ବଏଜ ନାମକ ଏକ ହ୍ୱାଟ୍ସଆପ୍ ଗ୍ରୁପକୁ ଠାବ କରି ମୟୂରଭଞ୍ଜ ପୁଲିସ ଏହାର ଆଡମିନଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି । ଗିରଫଙ୍କୁ ଗତକାଲି ବାରିପଦା ଜେଲ ହାଜତକୁ ପଠାଇ ଦିଆଯାଇଛି । ଗ୍ରୁପରେ ରହିଥିବା ସମସ୍ତଙ୍କ ସିମ୍ କାର୍ଡ ଜବତ କରାଯାଇଛି । ହାଇଦ୍ରାବାଦରୁ ଗତ ରାତିରେ ଗିରଫ କରାଯାଇଥିବା ଅନ୍ୟତମ ଅଭିଯୁକ୍ତକୁ ବାରିପଦା ଅଣାଯାଉଥିବା ପ୍ରକାଶ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୁଇବର୍ଷ ଧରି ଫେରାର ରହିବା ପରେ ନିକଟରେ ତାକୁ ସୁନ୍ଦରଗଡ଼ର ଗିରଫ କରାଯାଇଥିଲା । ତାକୁ ପଚରାଉଚୁରା କରାଯିବା ପରେ ଘଟଣାର ସମସ୍ତ ତଥ୍ୟ ଜଣାପଡିଥିଲା । ଏହି ଘଟଣାର ଅଭିଯୁକ୍ତମାନେ ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶୁଳିଆପଦା ଥାନାରେ ୨୦୨୦ ଅଗଷ୍ଟ ୨୪ରେ ରୁଜୁ ହୋଇଥିବା ୫୫ ନମ୍ବର ମାମଲା ଅନୁଯାୟୀ ଏହି ଗ୍ରୁପର ଅନ୍ୟତମ ଅଭିଯୁକ୍ତ ଜଣେ ଯୁବତୀଙ୍କ ସହିତ ପ୍ରଥମେ ସମ୍ପର୍କ ରଖୁ ତାଙ୍କର ଅଶ୍ଳୀଳ ଫଟୋ ଗୁଡ଼ିକୁ ଏହି ଗ୍ରୁପରେ ପ୍ରଘଟ କରିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂପୃକ୍ତ ଯୁବତୀଙ୍କୁ ମଧ୍ୟ ଏହି ଗ୍ରୁପରେ ଯୋଡ଼ା ଯାଇଥିଲା ।
ଗ୍ରୁପର ଅନ୍ୟ ସଦସ୍ୟମାନେ ସଂପୃକ୍ତ ଯୁବତୀକୁ ପ୍ରେମ ନିବେଦନ କରିବାରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଏପରିକି ତାଙ୍କର ଅଶ୍ଳୀଳ ଫଟୋ ଗୁଡ଼ିକୁ ତାଙ୍କ ଭାଇଙ୍କ ମୋବାଇଲକୁ ପଠାଇ ଦିଆଯିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ଏ ସମ୍ପର୍କରେ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ଦୃଷ୍ଟିରୁ ସେମାନଙ୍କ ନାମକୁ ଗୋପନ ରଖୁଛି ପୁଲିସ । ମାମଲାର ତଦନ୍ତ ପାଇଁ ଗଠିତ ଦଳରେ ବାରିପଦା ଉପଖଣ୍ଡ ପୁଲିସ ଅଧିକାରୀ କେ.କେ. ହରିପ୍ରସାଦ, ସଦର ଥାନା ଅଧିକାରୀ ମଧୁମିତା ମହାନ୍ତି, ଉଦଳା ଥାନାଧୁକାରୀ ନିରୋଳ ସାମଲ, ଶୁଳିଆପଦା ଥାନାଧୂରୀ ମିନି ଭୋଇ, ଟାଉନ ଥାନା ଏସ୍ଇ ଅଜିତ ସାହୁ, ସାଇବର ସେଲର ଅଧ୍ୟାକାରୀଗଣ ସାମିଲ ଥିଲେ ବୋଲି ଏସ୍ ପି ଋଷିକେଶ ଦ୍ୟାନଦେଓ ଖଲାରୀ ସୂଚନା ଦେଇଛନ୍ତି । ମାମଲାର ତଦନକୁ ଜୋରଦାର କରାଯାଇଛି ।