28.1 C
Bhubaneswar
Sunday, September 29, 2024
Homeଖେଳସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍‌ : ଆଜିଠାରୁ ଚୂଡ଼ାନ୍ତ ଟେଷ୍ଟ୍‌, ଖେଳିବେନି ସିରାଜ୍‌

ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍‌ : ଆଜିଠାରୁ ଚୂଡ଼ାନ୍ତ ଟେଷ୍ଟ୍‌, ଖେଳିବେନି ସିରାଜ୍‌

କେପଟାଉନ: ସମ୍ପ୍ରତି ଭାରତୀୟ ଦଳ ସାଉଥ୍ ଆଫ୍ରିକା ଗସ୍ତରେ ଥିବା ବେଳେ ଚଳିତ ଟେଷ୍ଟ୍ ସିରିଜ୍‌ଟି ଦୁଇଟି ମ୍ୟାଚ୍ ପରେ ସମାନ ସ୍ଥିତିରେ ରହିଛି । ପ୍ରଥମ ମ୍ୟାଚ୍‌କୁ ୧୧୩ ରନ୍‌ରେ ଭାରତ ଜିତି ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ ହେଁ ଅଧିନାୟକ ଡିନ୍ ଏଲଗାରଙ୍କ ଦୃଢ଼ ଇନିଂସକୁ ଭିତ୍ତି କରି ଘରୋଇ ଦଳ ଜୋହାନ୍ସବର୍ଗ ଟେଷ୍ଟ୍‌କୁ ୭ ୱିିକେଟ୍‌ରେ ଜିତି ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା । ଫଳସ୍ୱରୂପ ସିରିଜ୍‌ର ଭାଗ୍ୟ ଶେଷ ଟେଷ୍ଟ୍ ଉପରେ ନିର୍ଭରଶୀଳ ରହିଛି । ଏହି ଟେଷ୍ଟ୍‌ଟିକୁ ଜିତି ଭ୍ରମଣକାରୀ ଦଳ ଐତିହାସିକ ସିରିଜ୍ ବିଜୟ ହାସଲ ଲକ୍ଷ୍ୟ ରଖିଥିବା ବେଳେ ଘରୋଇ ଦଳ ମଧ୍ୟ ନିଜ ମାଟିରେ ଭାରତ ବିପକ୍ଷରେ ଅପରାଜେୟ ରେକର୍ଡକୁ ବଜାୟ ରଖିବା ସକାଶେ ଉଦ୍ୟମ କରିବ । କିନ୍ତୁ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ୍‌ରେ ଭାରତର ନିୟମିତ ଅଧିନାୟକ ବିରାଟ କୋହଲି ଚୂଡ଼ାନ୍ତ ଏକାଦଶରେ ରହିବେ, ଏହା ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସବୁଠାରୁ ବଡ଼ ଖବର ରହିଛି ।

ସିରିଜ୍‌ର ଦ୍ୱିତୀୟ ଟେଷ୍ଟ୍‌ର ଅବ୍ୟବହିତ ପୂର୍ବରୁ ଏହି ତାରକା ଖେଳାଳି ଜଣକ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଥିଲେ । ଫଳସ୍ୱରୂପ ତାଙ୍କ ସ୍ଥାନରେ ଉପଅଧିନାୟକ ଲୋକେଶ ରାହୁଲ୍ ଦଳର ନେତୃତ୍ୱ ଭାର ସମ୍ଭାଳିଥିଲେ । ଅବଶ୍ୟ ତାଙ୍କ ନେତୃତ୍ୱରେ ଦଳ ବିଜୟ ଧାରାକୁ କାଏମ ରଖି ନ ପାରି ସିରିଜ୍‌ରେ ହାସଲ କରିଥିବା ଅଗ୍ରଣୀର ବିଶେଷ ଫାଇଦା ନେଇପାରିନାହିଁ । ଏପରି ଏକ ସ୍ଥିତିରେ କୋହଲି ଚୂଡ଼ାନ୍ତ ଏକାଦଶକୁ ଫେରିବା ଦ୍ୱାରା ଭାରତୀୟ ଦଳର ମନୋବଳ ବଢ଼ିବ ଓ ପ୍ରଥମ ଥର ପାଇଁ ସାଉଥ୍ ଆଫ୍ରିକା ମାଟିରେ ଟେଷ୍ଟ୍ ସିରିଜ୍ ବିଜୟ ଆଶା ପୂରଣ ହୋଇପାରିବ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।

କୋହଲି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇସାରିଥିବା ସୂଚନା ଦେଇଛନ୍ତି । ମ୍ୟାଚ୍ ପୂର୍ବରୁ ସୋମବାର ଅନୁଷ୍ଠିତ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କୋହଲି ଏହି ସୂଚନା ଦେଇଥିଲେ ହେଁ ଦଳର ଯୁବ ପେସର୍ ମହମ୍ମଦ ସିରାଜ୍ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବେ ବୋଲି କହିଛନ୍ତି । ଏଥିସହ କୋହଲି କ୍ୟାରିୟର୍‌ରେ ଶହେତମ ଟେଷ୍ଟ୍ ମ୍ୟାଚ୍ ଖେଳିବେ । ଅଦ୍ୟାବଧି ଏକାଧିକ ରେକର୍ଡ ନିଜ ନାମରେ କରିସାରିଥିବା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଜଣକ ଏଠାକାର ନ୍ୟୁଲାଣ୍ଡ୍ ଷ୍ଟାଡିୟମ୍‌ରେ ପଡ଼ିଆକୁ ଓହ୍ଲାଇବା ପରେ ତାଙ୍କ ଗୌରବମୟ ଅଭିଯାନରେ ଆଉ ଏକ ଫର୍ଦ୍ଦ ଯୋଡ଼ିବେ । ଚୂଡ଼ାନ୍ତ ଏକାଦଶକୁ ଫେରିବା ନେଇ କୋହଲି କହିଛନ୍ତି ଯେ ଦୀର୍ଘଦିନ ଧରି ସେ ନିୟମିତ ଭାବେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଥିବାରୁ ପ୍ରଶଂସକମାନେ ସେ କଦାପି ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିବେ ନାହିଁ ବୋଲି ଧରିନେଇଛନ୍ତି । କିନ୍ତୁ କୌଣସି ଖେଳାଳି ପକ୍ଷେ ବାସ୍ତବରେ ସବୁ ମ୍ୟାଚ୍ ଖେଳିବା ଆଦୌ ସମ୍ଭବପର ନୁହେଁ ବୋଲି କୋହଲି କହିଛନ୍ତି ।

ସେହିପରି ଇତିମଧ୍ୟରେ ଭାରତ ବିଶ୍ୱ ସ୍ତରରେ ଅନ୍ୟତମ ସଫଳ ଟିମ୍ ଭାବେ ଉଭା ହୋଇଥିବାରୁ ଏହା ପଛରେ ଅଦମ୍ୟ ଇଚ୍ଛାଶକ୍ତି ଓ ଉଦ୍ୟମ ରହିଛି । ଏହା ଦଳଗତ ପ୍ରଚେଷ୍ଟା ଓ ସମସ୍ତ ଖେଳାଳିଙ୍କ ଅଦମ୍ୟ ଇଚ୍ଛାଶକ୍ତିର ଫଳ ବୋଲି କୋହଲି କହିଛନ୍ତି ।
ଗତ ଜୋହାନ୍ସବର୍ଗ ମ୍ୟାଚ୍‌ରେ ଆହତ ହୋଇଥିବା ଡାହାଣହାତୀ ଯୁବ ପେସର୍ ସିରାଜ୍‌ଙ୍କ ସମ୍ପର୍କରେ କୋହଲି କହିଛନ୍ତି ଯେ ସେ ଏବେ ହାମଷ୍ଟ୍ରିଙ୍ଗ୍ ଆହତରୁ ସୁସ୍ଥ ହେଉଛନ୍ତି । ତେଣୁ ସେ ଚୂଡ଼ାନ୍ତ ଟେଷ୍ଟ୍ ପାଇଁ ଫିଟ୍ ନାହାନ୍ତି । ତା’ଛଡ଼ା ତାଙ୍କ ପରି ଜଣେ ଉଦୀୟମାନ ବୋଲରଙ୍କୁ ଆଘାତଜନିତ ସ୍ଥିତିରେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରିବା ଆଦୌ ବୁଦ୍ଧିମାନର କାର୍ଯ୍ୟ ହେବ ନାହିଁ । ଯେ ପର୍ଯ୍ୟନ୍ତ ସେ ଶତପ୍ରତିଶତ ସୁସ୍ଥ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ଟିମ୍‌କୁ ଫେରିବା ସମ୍ଭବ ନୁହେଁ ବୋଲି କୋହଲି କହିଛନ୍ତି ।

କିନ୍ତୁ ସିରାଜଙ୍କ ଅନୁପସ୍ଥିତିରେ ଦୁଇ ଭେଟେରାନ୍ ପେସର୍ ଈଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ମଧ୍ୟରୁ କିଏ ଶେଷ ଟେଷ୍ଟ୍ ଖେଳିବ, ସେନେଇ କୋହଲି କିଛି ବି ସ୍ପଷ୍ଟ କରିନାହାନ୍ତି । ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକାର ପ୍ରମୁଖ ପେସର୍ କାଗିସୋ ରବାଡା ମଧ୍ୟ କୋହଲିଙ୍କ ପରି କ୍ୟାରିୟର୍‌ରେ ଏକ ମାଇଲ୍‌ଖୁଣ୍ଟ ସ୍ପର୍ଶ କରିବେ । ଏହି ଡାହାଣହାତୀ ପେସର୍ ଜଣକ ମଙ୍ଗଳବାର ତାଙ୍କ କ୍ୟାରିୟର୍‌ର ୫୦ତମ ଟେଷ୍ଟ୍ ମ୍ୟାଚ୍ ଖେଳିବେ । ତେବେ ଅଦ୍ୟାବଧି ସେ ଦଳ ପାଇଁ ବିଶେଷ କିଛି ଅବଦାନ ଦେଇପାରିନାହାନ୍ତି ଓ ଆଗାମୀ ଦିନରେ ସେ ଅନେକ କିଛି ଦେବା ସକାଶେ ଲକ୍ଷ୍ୟ ରଖିଥିବା ରବାଡା କହିଛନ୍ତି ।

୨୬ ବର୍ଷୀୟ ରବାଡା ଇତିମଧ୍ୟରେ ୨୨୬ଟି ଟେଷ୍ଟ୍ ୱିକେଟ୍ ନେଇସାରିଛନ୍ତି । ସେ ଦେଶ ପକ୍ଷରୁ ୨ଶହ ୱିକେଟ୍ ପୂରଣ କରିବାରେ ଦ୍ରୁତତମ ଓ ସର୍ବକନିଷ୍ଠ ବୋଲର୍ ମଧ୍ୟ ରହିଛନ୍ତି । ୫୦ତମ ଟେଷ୍ଟ୍ ଖେଳିବା ନେଇ ନିଜର ପ୍ରତିକ୍ରିୟାରେ ରବାଡା କହିଛନ୍ତି ଯେ ଦଳ ପାଇଁ ସ୍ୱଳ୍ପ ସମୟ ନୁହେଁ, ବରଂ ଲମ୍ବା ଯାତ୍ରା କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ । ଦୀର୍ଘଦିନ ଧରି ଦଳର ପେସ୍ ଆଟାକକୁ ନେତୃତ୍ୱ ଦେଇପାରିଲେ, ଦଳ ପାଇଁ କିଛି କରିପାରିଛନ୍ତି ବୋଲି ସେ ନିଶ୍ଚିତ ହେବେ । ତେବେ ଜୋହାନ୍ସବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ବି ସେ ୫୦ତମ ଟେଷ୍ଟ୍ ପୂରଣ ଦିଗରେ ଅଗ୍ରସର ହେଉଛନ୍ତି, ତାହା ଜାଣି ନ ଥିବା ରବାଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking