ୱାଶିଂଟନ୍: ବିଶ୍ୱର ପୂର୍ବତନ ଏକ ନମ୍ବର ମହିଳା ଖେଳାଳି ଆମେରିକାର ସେରେନା ୱିଲିୟମ୍ସ ପାଖାପାଖି ବର୍ଷେ ପରେ ଟେନିସ୍ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିବେ । ଗତବର୍ଷ ଉକ୍ତ ଟୁର୍ଣ୍ଣାମେଣ୍ଟ୍ରେ ଗୋଡ଼ରେ ଆଘାତ ପାଇବାରୁ ସେ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରୁ ହିଁ ଓହରିଯିବାକୁ ବାଧ୍ୟ ହୋଇଥିଲେ । ଏହାପରେ ସେ ଗତବର୍ଷ ଟୋକିଓ ଅଲିମ୍ପିକ୍ସ ସହ ୟୁଏସ୍ ଓପନ୍ ଓ ଚଳିତ ବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ପରି ପ୍ରମୁଖ ଇଭେଣ୍ଟ୍ରେ ଖେଳିପାରିନାହାନ୍ତି । କିନ୍ତୁ ୪୦ ବର୍ଷୀୟା ସେରେନା ଆଗାମୀ ଜୁନ୍-ଜୁଲାଇରେ ହେବାକୁ ଥିବା ୱିମ୍ବଲଡନ୍ ଓପନ୍ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଏକ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ସୂଚନା ଦେଇଛନ୍ତି । ଏହି ପ୍ରତ୍ୟାବର୍ତ୍ତନକୁ ନେଇ ସେ ବେଶ୍ ଉତ୍ସାହିତ ବୋଲି ମଧ୍ୟ ସେରେନା କହିଛନ୍ତି । ସୂଚନାଯୋଗ୍ୟ ଯେ ୱିମ୍ବଲଡନ୍ ଓପନ୍ରେ ସେରେନା ୭ ଥର ଚାମ୍ପିଅନ୍ ହୋଇଥିବା ବେଳେ ଏହି ଗ୍ରାଣ୍ଡସ୍ଲାମ୍ରେ ଶେଷ ଥର ପାଇଁ ଗତ ୨୦୧୬ରେ ସେ ଟାଇଟଲ୍ ଜିତିଥିଲେ । ସେହିପରି ଅଦ୍ୟାବଧି ୨୩ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିସାରିଥିବା ସେରେନା ୨୦୧୭ରେ ଅଷ୍ଟ୍ରେଲିଆନ୍ ଓପନ୍ରେ ତାଙ୍କର ଶେଷ ଟାଇଟଲ୍ ଜିତିଛନ୍ତି । ଦୀର୍ଘଦିନ ଧରି ଟେନିସ୍ ଜଗତରୁ ଦୂରେଇ ରହିଥିବାରୁ ଏହି ପୂର୍ବତନ ଏକ ନମ୍ବର ଖେଳାଳି ଏବେ ଅନ୍ତର୍ଜାତୀୟ ର୍ୟାଙ୍କିଙ୍ଗ୍ରେ ୨୪୬କୁ ଖସିଯାଇଛନ୍ତି । କନ୍ୟା ଅଲିମ୍ପିଆଙ୍କୁ ଜନ୍ମ ଦେବା ପରେ ସେରେନା ଯଦିଓ ୪ ଥର ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍ରେ ପହଞ୍ଚିଛନ୍ତି, କିନ୍ତୁ ସବୁ ଥର ତାଙ୍କୁ ରନର୍ସଅପ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।