ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ସୂର୍ଯ୍ୟ ଅଭିଯାନ ନିମନ୍ତେ ପଠାଯାଇଥିବା ମହାକାଶଯାନ ‘ଆଦିତ୍ୟ-ଏଲ୧’ ଇତିମଧ୍ୟରେ ସେଲ୍ଫି ଉଠାଇଥିବାବେଳେ ମହାକାଶରୁ ପୃଥଽୀ ଓ ଚନ୍ଦ୍ରର ଫଟୋ ମଧ୍ୟ ପଠାଇଛି । ଇସ୍ରୋ ପକ୍ଷରୁ ଏହି ଫଟୋଗୁଡିକୁ ନିଜର ଟ୍ୱିଟର ପେଜ୍ରେ ଅପ୍ଲୋଡ କରାଯାଇଛି । ଆଦିତ୍ୟ-ଏଲ୧ରେ ଖଞ୍ଜାଯାଇଥିବା ‘ଭିଜିବୁଲ ଏମିସନ୍ ଲାଇନ୍ କରୋନାଗ୍ରାଫ୍ ଏବଂ ସୋଲାର ଅଲଟ୍ରାଭାଓଓଲେଟ୍ ଇମେଜର ଯନ୍ତ୍ର ସାହାଯ୍ୟରେ ଏହି ଫଟୋଚିତ୍ର ଉତ୍ତୋଳନ କରାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।
ଚଳିତମାସ ୨ରେ ମହାକାଶକୁ ପ୍ରକ୍ଷେପିତ ହୋଇଥିବା ଆଦିତ୍ୟ-ଏଲ୧ ଇତିମଧ୍ୟରେ ଦୁଇଥର ପୃଥିବୀର କକ୍ଷପଥ ପରିବର୍ତ୍ତନ କରିସାରିଛି । ଆସନ୍ତା ୧୬ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବାପରେ ଏହା ସୂର୍ଯ୍ୟଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଧାରିତ ପଥରେ ଅଗ୍ରସର ହେବ । ପୃଥିବୀପୃଷ୍ଠରୁ ୧୫ ଲକ୍ଷ କିମି ଦୂର ସନ୍-ଆର୍ଥ ଲାଙ୍ଗ୍ରେନ୍ ପଏଣ୍ଟରେ ଆଦିତ୍ୟ-ଏଲ୧କୁ ଅବସ୍ଥାପିତ କରିବାର ଯୋଜନା ରହିଛି ।