ନୂଆଦିଲ୍ଲୀ:ସୀମାନ୍ତ ଜାମଶୋଳା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ସଂଯୋଗ ରାସ୍ତାରେ ମୁଷ୍ଟିମେୟ ଦଲାଲକୁ ନେଇ ଦିବାରାତ୍ର ବେଆଇନ ବାଲି ଚୋରାଚାଲାଣ ହେଉଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଚୋରାବାଲି ବୋଝେଇ ୧୨ଟି ହାଇୱା ଜବତ। ପଶ୍ଚିମବଙ୍ଗରୁ ଓଡ଼ିଶା ଦେଇ ଝାଡ଼ଖଣ୍ଡ ଯାଉଥିବା ସମୟରେ ଜବତ। ବାରମ୍ଵାର ଅଭିଯୋଗ ପରେ ବେଆଇନ ଭାବେ ଚୋରାରେ ବାଲି ଚାଲାଣ ହେଉଥିବା ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ପରେ ପୋଲିସ ଏବଂ ତହସିଲଦାର ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।
ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ ଜାମଶୋଳା ଅଞ୍ଚଳରେ ଝାରପୋଖରିଆ ପୋଲିସ ଥାନା ଅଧିକାରୀ ସହ ସାରସକଣା ତହସିଲଦାର ଗତକାଲି ବିଳମ୍ବିତ ରାତ୍ରିରେ ୧୨ଟି ବାଲି ଚୋରା ଚାଲାଣ କରୁଥିବା ହାଇୱାକୁ ଜବତ କରିବା ସହ ୭ଟି ହାଇୱାକୁ ଥାନାକୁ ଆଣି ଅଧିକ ତଦନ୍ତ କରୁଥିବା ବେଳେ ବାକି ୫ଟି ହାଇୱା ଘଟଣାସ୍ଥଳରେ ରହିଛି । ତେବେ ସ୍ଥାନୀୟ ତହସିଲଦାର କହିଛନ୍ତି ଯେଉଁ ହାଇୱା ଗୁଡ଼ିକ ଜାମଶୋଳା ନିକଟରେ ରହିଛି ସେଗୁଡିକ ନାମରେ କେଶ ହେବ ଓ ଥାନାରେ ଥିବା ହାଇୱା ଗୁଡିକ ଉପରେ ଫାଇନ କୋଟା ଯିବ । ଆଗକୁ ଚୋରା ପଥର, ବାଲି, ଚାଲାଣକାରୀ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଜଳଜୀବଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି। ତାଙ୍କର ସୁରକ୍ଷିତ ଜୀବନକ୍ରିୟାକୁ ଦୃଷ୍ଟିରେ ରଖି ରାତିରେ ବାଲି ଉତ୍ତୋଳନକୁ ନିଷେଧ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ମାତ୍ର ସକ୍ରିୟ ପ୍ରଶାସନିକ ବ୍ୟବସ୍ଥାର ତତ୍ପରତା ସତ୍ତ୍ୱେ ତାହା ମଧ୍ୟ ପାଳନ ହୋଇପାରୁ ନାହିଁ। ସେହିପରି ବାଲିଘାଟରୁ ନିଲାମଧାରୀ ବାଲିଛାଣି କୂଳରେ ଷ୍ଟକ କରିବାର ନିୟମ ସତ୍ତ୍ୱେ ଦିବାରାତ୍ର ନଦୀଜଳ ଭିତରେ ଟ୍ରାକ୍ଟର, ଡ଼ମ୍ପର,ହାଇୱା ପଶୁଥିବା ବେଳେ ଜେସିବିରେ ବାଲି ଲୋଡ଼ ଦିଆଯାଉଛି। ଏହାର ପ୍ରଭାବରେ ନଦୀଜଳ ଗୋଳିଆ ହେବା ସହିତ ଜଳରେ ଡିଜେଲ, ମୋବିଲ,ଗ୍ରୀସର ମିଶ୍ରଣ ଯୋଗୁଁ ବିଷାକ୍ତ ପ୍ରକ୍ରିୟା ଆରମ୍ଭ ହୋଇ ଜଳଚର ଜୀବଙ୍କ ଜୀବନ ବ୍ୟାପକ ପ୍ରଭାବିତ ହେବା ସହିତ ମୃତ୍ୟୁମୁଖରେ ପଡୁଛନ୍ତି। ଅନ୍ୟପଟେ ନଦୀକୂଳ ବାସିନ୍ଦାମାନେ ନଦୀଜଳ ବ୍ୟବହାର କରି ଚର୍ମରୋଗ, ପେଟରୋଗ ଭଳି ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଥିବା ଘଟଣା କାହାକୁ ଅଛପା ନାହିଁ।
ତେବେ ଏସମସ୍ତ ପ୍ରକ୍ରିୟା ଉପରେ ତୀକ୍ଷ୍ଣନଜର ରଖିବାର ଗୁରୁଦାୟିତ୍ବ ପ୍ରଶାସନିକ ବ୍ୟବସ୍ଥା ଉପରେ ନ୍ୟସ୍ତ ଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଥିବା ବେଳେ ଏହା ପଛରେ କି ରହସ୍ୟ ରହିଛି ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହା ବ୍ୟତୀତ ନିଲାମ ବାଲି ସୈରାତ ଗୁଡିକରେ ଗଚ୍ଛିତ ବାଲିର ପରିମାଣ, ଟ୍ରାନଜିଟ ପାସ ଇସ୍ୟୁକୁ ଦୃଷ୍ଟିରେ ରଖି ବାଲି ଉତ୍ତୋଳନର ପରିମାଣ ଆକଳନ କରିବା ସହିତ କଡାକଡି ଭାବେ ଟିପି ଯାଞ୍ଚ କରାଯିବା ଆବଶ୍ୟକ। ଯାହା ବିଭାଗ ପକ୍ଷରୁ କରାନଯିବା ପରୋକ୍ଷରେ ନିଲାମଧାରୀ ସହିତ ପୋଲିସ ଏବଂ ପ୍ରଶାସନର ଅଲିଖିତ ବୁଝାମଣା ରହିଥିବା ସୂଚନା ଦେଉଛି। ନିରୀହ ସ୍ଥାନୀୟ ଲୋକମାନେ ଅଧିକ ଦାମରେ ବାଲି କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ବାଲି ଦାମ ନିୟନ୍ତ୍ରଣ ସହିତ ନିୟମ ପାଳନ ପ୍ରତି ଗୁରୁତ୍ୱ ପ୍ରଦାନ ପାଇଁ ଦାବି ହେଉଛି।