ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ଥିବା ଶ୍ମଶାନରୁ ମହିଳାଙ୍କ ମୃତଦେହ ଜବତ ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମୃତ ଜି.ଲକ୍ଷ୍ମୀଙ୍କ ସ୍ୱାମୀ ଜି. ସୀମାଞ୍ଚଳ ପାତ୍ର, ଜି.ସାକିଲି ପାତ୍ର, ପି. ନିରାକାର ପାତ୍ର, ଡି. କାଳୁ ଦାଶ ପାତ୍ର, କେ. ସିବାରାମ ପାତ୍ର ବୋଲି ପୁଲିସ କହିଛି । ଆଜି ସସସ୍ତ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟଚାଲାଣ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଲକ୍ଷ୍ମୀଙ୍କ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା କୁହାଯାଇଥିଲା ।
ଯାହାକୁ ଆଧାର କରି ପୁଲିସ ଉରୋକ୍ତ ଅଭିଯୁକ୍ତଙ୍କୁ ହତ୍ୟା ମାମଲାରେ ଗିରଫ କରିଛି । ସୂଚନାଯୋଗ୍ୟ ଯେ ଗତ ୨୦୦୬ ମସିହାରେ ଶ୍ରୀରଙ୍ଗରାଜ ଗ୍ରାମର ରଙ୍କ ପାତ୍ରଙ୍କ ଝିଅ ଜି.ଲକ୍ଷ୍ମୀ ପାତ୍ର ଜଗଦଳପୁର ଗ୍ରାମର ଜି.ସୀମାଞ୍ଚଳ ପାତ୍ରଙ୍କୁ ବିବାହ କରିଥିଲେ । ଉଭୟଙ୍କ ଦୁଇଟି ସନ୍ତାନ ରହିଛି । ବିଭିନ୍ନ ସମୟରେ ସୀମାଞ୍ଚଳ ଓ ତାଙ୍କ ପରିବାର ଲୋକେ ଲକ୍ଷ୍ମୀଙ୍କୁ ମାନସିକ ନିର୍ଯାତନା ଦେଉଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଥାନରେ ଅଭିଯୋଗ କରିଥିଲେ । ଗତ ୨୫ ତାରିଖ ବିଳମ୍ବିତ ରାତିରେ ଭଉଣୀ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ବଡ଼ ଭାଇ ପି.ତିଲୋଚନ ପାତ୍ର ଜଗଦଳପୁର ଗ୍ରାମରେ ପହଞ୍ଚିଥିଲେ । ଏଠାରେ ଦେଖିଲେ ଭଉଣୀଲକ୍ଷ୍ମୀଙ୍କ ମୃତ ଦେହକୁ ଶବଦାହ ନିମନ୍ତେ ସ୍ଥାନୀୟ ଶ୍ମଶାନରୁ ନେଇ ଯାଇଥିଲେ ।
ଏହି ଘଟଣାରେ ତିଲୋଚନଙ୍କ ସନ୍ଦେହ ବଢ଼ିଥିଲା । ଯାହାକୁ ନେଇ ସେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଜଗଦଳପୁର ଗ୍ରାମର ଶ୍ମଶାନକୁ ଯାଇ ମୃତ ଲକ୍ଷ୍ମୀଙ୍କ ମୃତଦେହ ଜବତ କରିଥିଲାକ । ପରେ ଶବ ବ୍ୟବଚ୍ଛେଦ କରିବା ନିମନ୍ତେ ବଡ଼ ମେଡିକାଲ ପଠା ଯାଇଥିବା ବେଳେ ଏହି ଘଟଣାରେ ପୁଲିସ ଏକ ଅପମୃତ୍ୟୁମାମଲା ରୁଜୁ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ଲକ୍ଷ୍ମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ଯାହାକୁ ନେଇ ପୁଲିସ ଅପମୃତ୍ୟୁ ମାମଲାଟି ହତ୍ୟା ମାମଲାରେ ରୂପାନ୍ତରିତ କରିଥିଲା । ଏହି ଘଟଣାରେ ପୁଲିସ ଆଜି ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।