ଗଲ୍ :ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଭ୍ରମଣକାରୀ ଆୟର୍ଲାଣ୍ଡ୍ ତା’ର ପ୍ରଥମ ଇନିଂସରେ ୪୯୨ ରନ୍ କରିଛି । ପଲ୍ ଷ୍ଟର୍ଲିଂ ଓ କର୍ଟିସ୍ କ୍ୟାମ୍ଫର୍ଙ୍କ ଶତକୀୟ ଇନିଂସ ମାଧ୍ୟମରେ ଦଳ ଟେଷ୍ଟ୍ କ୍ରିକେଟ୍ରେ ତା’ର ସର୍ବାଧିକ ସ୍କୋର୍ କରିପାରିଛି । ଦ୍ୱିତୀୟ ଦିନର ଖେଳ ବର୍ଷା କାରଣରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବା ବେଳକୁ ଘରୋଇ ଶ୍ରୀଲଙ୍କା ତା’ର ପ୍ରଥମ ଇନିଂସରେ ବିନା କୌଣସି କ୍ଷତିରେ ୮୧ ରନ୍ କରିଛି । ଦୁଇ ଓପନର ନିଶାନ୍ ମଦୁଷ୍କା ୪୧ ଓ ଅଧିନାୟକ ଦିମୁଥ୍ କରୁଣାରତ୍ନେ ୩୯ ରନ୍ରେ ଅପରାଜିତ ଅଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଆୟର୍ଲାଣ୍ଡ୍ ୪ଟି ୱିକେଟ୍ ହରାଇ ୩୧୯ ରନ୍ କରିଥିଲା । ମଙ୍ଗଳବାର ଏହିଠାରୁ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଲୋର୍କାନ୍ ଟକର୍ (୭୮) ଓ କ୍ୟାମ୍ଫର୍ (୨୭) ଖେଳ ଆରମ୍ଭ କରିଥିଲେ ।
ଉଭୟଙ୍କ ମଧ୍ୟରେ ୮୯ ରନ୍ର ଭାଗୀଦାରୀ ହେବା ପରେ ଟକର୍ ୧୦ଟି ଚୌକା ସହ ୮୦ ରନ୍ରେ ବିଦାୟ ନେଇଥିଲେ । ପ୍ରଥମ ଦିନର ଖେଳରେ ୭୪ ରନ୍ କରି ରିଟାୟର୍ଡ ହର୍ଟ ହୋଇଥିବା ଷ୍ଟର୍ଲିଂ ବ୍ୟାଟିଂ କରିବାକୁ ଆସି ଷଷ୍ଠ ୱିକେଟ୍ରେ ରେକର୍ଡ ୧୬୪ ରନ୍ ଯୋଡ଼ିଥିଲେ । ଇତିମଧ୍ୟରେ ଷ୍ଟର୍ଲିଂ ଦେଶ ପକ୍ଷରୁ ତୃତୀୟ ଓ କ୍ୟାମ୍ପର୍ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟ୍ରେ ଶତକ ପୂରଣ କରିଥିଲେ । ୯ଟି ଚୌକା ଓ ୪ଟି ଛକା ସହ ଷ୍ଟର୍ଲିଂ ୧୦୩ ରନ୍ କରିଥିବା ବେଳେ କ୍ୟାମ୍ଫର୍ ୧୧୧ ରନ୍ର ଇନିଂସରେ ୧୫ଟି ଚୌକା ସହ ୨ଟି ଛକା ଲଗାଇଥିଲେ । ଏହାଛଡ଼ା ଆଣ୍ଡି ମ୍ୟାକ୍ବ୍ରାଇନ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୩୫ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ପ୍ରବତ୍ ଜୟସୂରିୟା ଚଳିତ ସିରିଜ୍ରେ ଦ୍ୱିତୀୟ ଥର ପାଇଁ ୫ ୱିକେଟ୍ର ସଫଳତା ପାଇଥିଲେ । ଏହାଛଡ଼ା ବିଶ୍ୱା ଫର୍ଣ୍ଣାଣ୍ଡୋ ଓ ଅସୀତା ଫର୍ଣ୍ଣାଣ୍ଡୋ ୨ଟି ଲେଖାଏଁ ଏବଂ ରମେଶ ମେଣ୍ଡିସ୍ ଗୋଟିଏ ୱିକେଟ୍ ନେଇଥିଲେ ।