19.1 C
Bhubaneswar
Sunday, November 24, 2024
Homeଓଡିଶାଦ୍ୱିତୀୟ ଦିନ ଗଣତି ଫଳାଫଳ: ବିଜେଡି ପେଡ଼ିରେ ୨୭୦ ଆସନ

ଦ୍ୱିତୀୟ ଦିନ ଗଣତି ଫଳାଫଳ: ବିଜେଡି ପେଡ଼ିରେ ୨୭୦ ଆସନ

ଭୁବନେଶ୍ୱର:  ରବିବାର ରାଜ୍ୟର ୩୦୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମତଗଣନା ହୋଇଥିବା ବେଳେ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ବିଜେଡି ସର୍ବାଧିକ ୨୭୦ଟି ଆସନ ଅକ୍ତିଆର କରିଛି । ବିଜେପି ଏବଂ କଂଗ୍ରେସ ଉଭୟ ୧୬ଟି ଲେଖାଏଁ ଆସନ ଜିତିଥିବା ବେଳେ ଜେଏମଏମ୍‌ର ୨ ଜଣ ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟଲାଭ କରିଛନ୍ତି ।
ଦ୍ୱିତୀୟ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାରେ ୮ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ହୋଇଥିବା ବେଳେ ୭ଟି ଆସନରେ ବିଜେଡି ଏବଂ ଗୋଟିଏରେ ବିଜେପିକୁ ସଫଳତା ମିଳିଛି । ବାଲେଶ୍ୱର ଜିଲ୍ଲାରେ ଗଣତି ହୋଇଥିବା ୧୪ଟି ଜୋନ୍ ମଧ୍ୟରୁ ସର୍ବାଧିକ ୧୨ଟି ବିଜେଡି ଖାତାକୁ ଆସିଛି । କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏ ସିଟ୍ ଜିତିଛନ୍ତି । ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ବରଗଡ଼ରେ ବିଜେଡି ୮ଟି ଏବଂ ବିଜେପି ୩ଟି ଆସନରେ ବିଜୟର ସ୍ୱାଦ ଚାଖିଛନ୍ତିି । ତେବେ ଭଦ୍ରକ ଜିଲ୍ଲାର ସମସ୍ତ ୭ଟି ଆସନକୁ ଶାସକ ଦଳ ପୋଛିନେଇଛି । ବଲାଙ୍ଗିରର ୧୪ଟି ଜୋନ୍‌ରୁ ବିଜେଡି ୧୧ଟି, ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନ ପାଇଛି । ବୌଦ୍ଧ ଜିଲ୍ଲାରେ ଦୁଇଟି ବିଜେଡିକୁ ଓ ଗୋଟିଏ ଆସନ ବିଜେପିକୁ ମିଳିଛି । ଅନ୍ୟପଟେ କଟକ ଜିଲ୍ଲାର ସମସ୍ତ ୧୫ଟି ଜୋନ୍‌, ଦେବଗଡ଼ର ୩ଟି ଜୋନ୍ ଓ ଢେଙ୍କାନାଳର ୮ଟି ଜୋନ୍‌ରେ ବିଜେଡି ବିଜୟବାନା ଉଡ଼ାଇଛି । ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ଦିନରେ ବିଜେପି ଖାତା ଖୋଲିଛି । ଗଜପତିରେ ୬ଟି ଜୋନ୍‌ରୁ ବିଜେଡି ୫ଟିରେ ଜିତିଥିବା ବେଳେ ବିଜେପି ଗୋଟିଏ ଜୋନ୍ ଅକ୍ତିଆର କରିଛି । ସେହିଭଳି ଗଞ୍ଜାମରେ ପଦ୍ମ ଖାତାକୁ ଗୋଟିଏ ସିଟ୍ ଆସିଥିବା ବେଳେ ୨୧ଟି ଜୋନ୍ ଶଙ୍ଖ ଖାତାକୁ ଯାଇଛି । ଜଗତସିଂହପୁରର ସମସ୍ତ ୮ଟି ଜୋନ୍‌, ଯାଜପୁରର ୧୨ଟି ଜୋନ୍ ଓ ଝାରସୁଗୁଡ଼ାର ୩ଟି ଜୋନରେ ମଧ୍ୟ ଏକତରଫା ବିଜେଡିକୁ ସଫଳତା ମିଳିଛି । ଅନ୍ୟପଟେ ଦ୍ୱିତୀୟ ଦିନରେ କଳାହାଣ୍ଡିରେ କଂଗ୍ରେସ ଖାତା ଖୋଲିଛି । ବିଜେଡି ୧୨ଟି ଆସନ ପାଇଥିବା ବେଳେ କଂଗ୍ରେସ ଗୋଟିଏ ଜିତିବାକୁ ସକ୍ଷମ ହୋଇଛି । ପ୍ରଥମ ଦିନ ଭଳି କନ୍ଧମାଳରେ ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ତିନି ଦଳ ଖାତାକୁ କିଛି କିଛି ଆସନ ଆସିଛି । ବିଜେଡି ୬ଟିରେ ବାଜିମାତ୍ କରିଥିବା ବେଳେ କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏ ଆସନରେ ଜିତିଛନ୍ତି । ସେପଟେ କେନ୍ଦ୍ରାପଡ଼ାର ୧୦ଟି ଜୋନ୍ ଓ କେନ୍ଦୁଝରର ୧୨ଟି ଜୋନ୍‌କୁ ସମୂଳେ ହାସଲ କରିନେଇଛି ବିଜେଡି । ଅନ୍ୟତମ ଚର୍ଚ୍ଚିତ ଜିଲ୍ଲା ଖୋର୍ଦ୍ଧାରେ ଦ୍ୱିତୀୟ ଦିନର ଗଣତିରେ ମଧ୍ୟ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ୧୦ଟି ଜୋନ୍‌ରେ ଗଣତି ହୋଇଥିବା ବେଳେ ବିଜେଡି ୯ଟିରେ ଏବଂ ବିଜେପି କେବଳ ଗୋଟିଏରେ ଜିତିପାରିଛି । ତେବେ କୋରାପୁଟ ଜିଲ୍ଲାରେ ଦ୍ୱିତୀୟ ଦିନରେ ବିଜେଡି ଓ କଂଗ୍ରେସ ମଧ୍ୟରେ କଡ଼ା ଫାଇଟ୍ ଦେଖିବାକୁ ମିଳିଥିଲା । ବିଜେଡି ୭ଟି ଜିତିଥିବା ବେଳେ କଂଗ୍ରେସ ୬ଟି ଆସନ ହାତେଇଛି । ସେହିଭଳି ମାଲକାନଗିରିରେ ୪ଟି ଜୋନ୍‌ରେ ବିଜେଡି ଏବଂ ଗୋଟିଏ ଜୋନ୍‌ରେ କଂଗ୍ରେସ ଜିତିଛି । ଦ୍ୱିତୀୟ ଦିନରେ ମୟୂରଭଞ୍ଜରେ ୨୬ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଗଣତି ହୋଇଥିଲା । ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ମଧ୍ୟ ବିଜେପି ନିରାଶ ହୋଇଛି । ୨୪ଟି ଆସନ ବିଜେଡି ଖାତାକୁ ଯାଇଥିବା ବେଳେ ଜେଏମ୍‌ଏମ୍ ୨ଟି ଆସନ ପାଇଛି । ନବରଙ୍ଗପୁରରେ ୧୦ଟି ଜୋନ୍‌ରେ ମତଗଣନା ହୋଇଥିବା ବେଳେ ବିଜେଡି ସର୍ବାଧିକ ୯ଟି ଆସନ ହାତେଇଛି । କେବଳ ପୂର୍ବତନ ବିଧାୟକ ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀ କଂଗ୍ରେସ ପାଇଁ ଗୋଟିଏ ଆସନ ଜିତିପାରିଛନ୍ତି । ନୟାଗଡ଼ ଜିଲ୍ଲା କଥା ଦେଖିଲେ ୭ଟି ଆସନରୁ ବିଜେଡି ୬ଟିରେ ଜିତିଥିବା ବେଳେ ଖଣ୍ଡପଡ଼ାରେ ଗୋଟିଏ ଜୋନ୍‌ରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ଅନ୍ୟପଟେ ଟାଣୁଆ ବିଜେପି ନେତା ବସନ୍ତ ପଣ୍ଡାଙ୍କ ଜିଲ୍ଲାରେ ପୁଣି ବିଜେଡି ସମସ୍ତ ୫ଟି ଜୋନ୍ ପୋଛିନେଇଛି । ତେବେ ପୁରୀ ଜିଲ୍ଲାରେ ବିଜେପି ଖାତା ଖୋଲିବାକୁ ସକ୍ଷମ ହୋଇଛି । ଦ୍ୱିତୀୟ ଦିନର ଗଣତିରେ ବିଜେଡି ୧୦ଟି ଜିଲ୍ଲା ପରିଷଦ ଆସନ ଜିତିଥିବା ବେଳେ ବିଜେଡି ସତ୍ୟବାଦୀରେ ଗୋଟିଏ ଜୋନ୍ ଜିତିଛି । ସେପଟେ ରାୟଗଡ଼ାରେ କଂଗ୍ରେସ ଦ୍ୱିତୀୟ ଦିନରେ ଭଲ କରିଛି । ବିଜେଡି ୫ଟି ଜୋନ୍ ଜିତିଥିବା ବେଳେ କଂଗ୍ରେସ ମଧ୍ୟ ଭଲ ମୁକାବିଲା କରି ୪ଟି ହାତେଇଛି । ସମ୍ବଲପୁରରେ ପ୍ରଥମ ପର୍ଯ୍ୟାୟରେ ଖାଲି ପଡ଼ିଥିବା ବିଜେପି ଖାତାକୁ ଦ୍ୱିତୀୟ ଦିନରେ ଦୁଇଟି ଆସନ ଆସିଛି । ତେବେ ବିଜେଡି ୭ଟି ଆସନରେ ବିଜୟଲାଭ କରିଛି । ସୋନପୁରରେ ବିଜେଡି ସମସ୍ତ ୬ଟି ଆସନ ପୋଛି ନେଇଥିବା ବେଳେ ସୁନ୍ଦରଗଡ଼ରେ ବିଜେପି ଗୋଟିଏରେ ଏବଂ ୧୬ଟି ଆସନରେ ବିଜେଡି ଜିତିଛି । ଏଥିସହ ସମସ୍ତ ଜିଲ୍ଲାରେ ବିଜେଡି ଜିଲ୍ଲାପରିଷଦ ଗଠନ ଲାଗି ଆବଶ୍ୟକ ସଂଖ୍ୟା ପୂରଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking