ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ପାହାଳ ଥାନା ଅନ୍ତର୍ଗତ ହଂସପାଳ ଛକ ନିକଟରେ ଆଜି ଏକ ସଡକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ-କଟକ ଅଭିମୁଖେ ଯାଉଥିବା ସ୍କୁଟିକ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ପଛପଟୁ ଧକ୍କାଦେଇଛି । ଯାହାଫଳରେ ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଟକ ଚୌଦ୍ୱାର ଅଞ୍ଚଳର ରାମଚନ୍ଦ୍ର ସୁବୁଦ୍ଧି । ଖବର ପାଇ ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଡ୍ରାଇଭର କଲିମ ଅଂସାରୀଙ୍କୁ ଗିରଫ କରିଛି ।
ଏଥିସହ ଉଭୟ ସ୍କୁଟି ଓ ଟ୍ରକକୁ ପୁଲିସ ଜବତ କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ସୂଚନା ଅନୁଯାୟୀ, ମୃତକ ରାମଚନ୍ଦ୍ର ବ୍ୟବସାୟ କରନ୍ତି । କୌଣସି କାମରେ ସ୍କୁଟି ଯୋଗେ ସେ ଭୁବନେଶ୍ୱର ଆସିଥିଲେ । କାମ ସାରି ଘରକୁ ଫେରୁଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ତାଙ୍କୁ ହଂସପାଳ ନିକଟରେ ପଛପଟୁ ଜୋର୍ସେ ଧକ୍କା ଦେଇଥିଲା । ଯାହାଫଳରେ ସେ ଗାଡି ସହ ତଳେ ଛିଟିକି ପଡିିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ପୁଲିସ ଘଟଣାସ୍ଥଳେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ରାମଚନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।