ୱାସିଂଟନ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିକାଣ୍ଡ । ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ପାଖାପାଖି ୯ ଜଣ ଗୁରୁତର ଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡ ଭିଆଇଥିବା ସନ୍ଦିଗ୍ଧ ନାବାଳକକୁ ଅଟକ ରଖିଛି ପୋଲିସ ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଜର୍ଜିଆ ହାଇସ୍କୁଲରେ ହୋଇଛି ଆଖିବୁଜା ଗୁଳିମାଡ଼ । ଫଳରେ ଟଳିପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ । ଗୁଳିମାଡ଼ରେ ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଶିକ୍ଷକ ଓ ୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଗୁଳିମାଡ଼ କରିଥିବା ୧୪ ବର୍ଷର ନାବାଳକକୁ ପୋଲିସ ଅଟକ ରଖିଛି । ସେପଟେ ୯ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।
ସେ ନିଜର ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି, ଏହି ବନ୍ଧୁକ ହିଂସାକୁ ସମାପ୍ତ କରିବାକୁ ହେବ । ଏଥିପାଇଁ ହ୍ୱାଇଟ ହାଉସ ତରଫରୁ ଗନ୍ ଭାଓଲେନ୍ସ ପ୍ରିଭେନ୍ସନ ପଦକ୍ଷେପ ନିଆଯାଇଛି । ଆମେ ଏଥିରେ ଅଗ୍ରଗତି କରୁଛି । ହେଲେ ଏହି ହିଂସାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବାକୁ ଆହୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଆମେରିକାରେ ସ୍କୁଲରେ ଗୁଳିମାଡ଼ ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏହିପରି ଅନେକ ଗୁଳିକାଣ୍ଡ ଘଟିଥିବାର ନଜିର ରହିଛି । ଗତ ଜାନୁଆରୀ ୫ ତାରିଖରେ ଆମେରିକାର ଏକ ସ୍କୁଲରେ ହୋଇଥିବା ଗୁଳିମାଡ଼ରେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିଲେ । ୨୦୨୩ ମସିହା ମେ ମାସରେ ମଧ୍ୟ ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା ହୋଇଥିଲା । ନିଜର ସହପାଠୀ ଓ ସ୍କୁଲ ଗାର୍ଡଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା ୧୪ ବର୍ଷୀୟ ବାଳକ । ଫଳରେ ୯ ଜଣଙ୍କ ଜୀବନ ଯାଇଥିଲା ।