କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପିଟାଲ (ଏସ୍ସିବି) କାର୍ଡିଓଲୋଜି ବିଭାଗର ଡାକ୍ତର ଦିଲ୍ବାଗ ସିଂହ ଠାକୁର ଦୁଇ ମହିଳା ରୋଗୀଙ୍କୁ ଦୁର୍ଷ୍କମ ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ ହୋଇଥିଲା ବେଳେ ଆଜି ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଏସ୍ସିବି ମେଡିକାଲ କଲେଜ କାଉନ୍ସିଲର୍ ଜରୁରୀ ବୈଠକ ବସିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି।
ଡାକ୍ତରଙ୍କ ବିରୋଧରେ ଅଭିଯୋଗ ହେବା ପରେ ଡିଏମଇଟିଙ୍କ ନେତୃତ୍ୱରେ ତିନିଜଣିଆ ତଦନ୍ତ କମିଟି ଏସ୍ସିବି ଆସିଥିଲା। ଏହି ଘଟଣାର ତଦନ୍ତ କରି ସରକାରଙ୍କୁ କମିଟି ରିପୋର୍ଟ ପ୍ରଦାନ କରିଥିଲା। ଅପରପକ୍ଷେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏସସିବି ଅଧ୍ୟକ୍ଷଙ୍କୁ ଚିଠି କରାଯାଇଥିଲା। ଗତକାଲି ଏସ୍ସିବି ମେଡିକାଲ କଲେଜ କାଉନ୍ସିଲର୍ ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଆଜି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଗତ ୯ ତାରିଖରେ ଏସ୍ସିବି କାର୍ଡିଓଲୋଜି ବିଭାଗକୁ ଦୁଇ ଜଣ ମହିଳା ହୃଦ୍ଜନିତ ସମସ୍ୟା ଥିବାରୁ ଚିକିତ୍ସା ପାଇଁ ଆସିଥିଲା ବେଳେ ଅଭିଯୁକ୍ତ ଡାକ୍ତର ଜଣକ ସମସ୍ତ ପରୀକ୍ଷା ସମେତ ଇକୋ ପରୀକ୍ଷା କରାଇବାକୁ ରବିବାର ଅର୍ଥାତ ୧୧ତାରିଖରେ ଆସିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଅନୁଯାୟୀ ଉଭୟ ମହିଳା କାର୍ଡ଼ିଓଲୋଜି ବିଭାଗରେ ସେଦିନ ପହଞ୍ଚିଥିଲେ। ମାତ୍ର ଡାକ୍ତର ଜଣକ ଉଭୟ ମହିଳାଙ୍କର ଇକୋ କରାଇବା ବେଳେ ମହିଳାଙ୍କ ସମ୍ପର୍କୀୟ କିମ୍ବା ମହିଳା ଡାକ୍ତରଙ୍କୁ ଉକ୍ତରୁମ୍ ପରିସରରୁ ବିଦା କରି ଦେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ଘଟଣାଙ୍କ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତ ଡାକ୍ତରଙ୍କୁ ସଂଘବଦ୍ଧ ଭାବେ ମହିଳାଙ୍କ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିଥିଲେ। ପରେ ପୀଡ଼ିତା ଦ୍ୱୟ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ସେମାନଙ୍କ ଏତଲା ଆଧାରରେ ପୁଲିସ ତଦନ୍ତକରି ଗତ ୧୩ ତାରିଖରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିଲା।










