17.1 C
Bhubaneswar
Tuesday, December 9, 2025
Homeଓଡିଶାଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ...

ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ଲୋକସଭା ବାଚସ୍ପତି

ସମ୍ମିଳନୀରେ ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ସଂସଦୀୟ ପରମ୍ପରା,
କଲ୍ୟାଣମୂଳକ କାର୍ଯ୍ୟ ସଂପର୍କିତ ଭାବର ଆଦାନପ୍ରଦାନ ହେବ-ବାଚସ୍ପତି
ଭୁବନେଶ୍ୱର:  ଭୁବନେଶ୍ୱରଠାରେ ୨୦୨୫ ଅଗଷ୍ଟ ୨୯ ଓ ୩୦ ତାରିଖରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କର ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଓଡ଼ିଶା ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଅଗଷ୍ଟ ୨୯ ତାରିଖ ଦିନ ଆନୁଷ୍ଠାନିକ ଭାବେ ଏହି ସମ୍ମିଳନୀକୁ ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା ଉଦଘାଟନ କରିବେ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆଜି ବିଧାନସଭାଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଏହି ଧରଣର ଜାତୀୟ ସମ୍ମିଳନୀ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି । ଏଥିରୁ ସ୍ପଷ୍ଟ ଜଣାପଡେ ଯେ ପାର୍ଲାମେଣ୍ଟ ଓଡ଼ିଶା ଭଳି ଏକ ଅନୁସୂଚିତ ଜାତି ଓ ଜନଜାତିବହୁଳ ରାଜ୍ୟକୁ ଗୁରୁତ୍ୱ ଦେଇଛନ୍ତି । ଏଥି ପାଇଁ ଲୋକସଭା ବାଚସ୍ପତି, ରାଜ୍ୟସଭା ଉପାଧ୍ୟକ୍ଷ ଏବଂ ତାଙ୍କର ସମସ୍ତ ସହଯୋଗୀଙ୍କୁ ବାଚସ୍ପତି କୃତଜ୍ଞତା ଜଣାଇ କହିଥିଲେ ଯେ ଏହି ସମ୍ମିଳନୀ ଅବସରରେ ଆଲୋଚନା ସହ ଅନ୍ୟ ସମସ୍ତ ରାଜ୍ୟକୁ ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟଙ୍କ ଚାଲିଚଳଣି, ପୋଷାକ ପରିଧାନ, କାର୍ଯ୍ୟକୁଶଳତା, କାରିଗରୀ ବିଦ୍ୟା, ହସ୍ତଶିଳ୍ପ ସଂପର୍କରେ ଅବଗତ କରାଇବା ପାଇଁ ଏକ ଦୁଇଦିନିଆ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଉଛି । ଓଡ଼ିଶାର ଐତିହ୍ୟ, ସଂସ୍କୃତି, ନୃତ୍ୟ-ସଂଗୀତ, ଚାରୁକଳା, କାରୁକଳା ସହିତ ଆଗନ୍ତୁକମାନଙ୍କୁ ପରିଚିତ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅତିଥିମାନଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ସମ୍ମିଳନୀରେ ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ସଂସଦୀୟ ପରମ୍ପରା, କଲ୍ୟାଣମୂଳକ କାର୍ଯ୍ୟ ସଂପର୍କିତ ଭାବର ଆଦାନପ୍ରଦାନ ହେବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ । ଓଡ଼ିଶାର ଅନୁସୂଚିତ ଜାତି ଓ ଜନାଜତି ସଂପ୍ରଦାୟ, ବୁଦ୍ଧିଜୀବୀ, ଯୁବବର୍ଗ, ଛାତ୍ରସମାଜ, ନିର୍ବାଚିତ ପ୍ରତିନିଧି, ସମାଜସେବୀଙ୍କ ମନରେ ଏହି ସମ୍ମିଳନୀ ଜାଗରଣ ସୃଷ୍ଟି କରିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ବାଚସ୍ପତି ଆଶା ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂ ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡକଫର ଫଗନ ସିଂହ କୁଲସ୍ତେ ମଧ୍ୟ ଏହି ସମାବେଶକୁ ସମ୍ବୋଧିତ କରିବେ । ସଂସଦ ଏବଂ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟ ଓ ସାଂସଦମାନେ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ । ଉଦଘାଟନୀ ଅଧିବେଶନରେ ଓଡ଼ିଶା ବିଧାନସଭାର ବାଚସ୍ପତି ସ୍ୱାଗତ ଭାଷଣ ପ୍ରଦାନ କରିବାକୁ ଥିବାବେଳେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ । ଏହି ସମ୍ମିଳନୀରେ ସଂସଦ ଏବଂ ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ବିଧାନସଭାର ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନେ ଯୋଗଦେବେ । ଚଳିତ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ସଶକ୍ତିକରଣରେ ସଂସଦୀୟ ଏବଂ ବିଧାନସଭା କମିଟିର ଭୂମିକା’ ।

୨୦୨୫ ଅଗଷ୍ଟ ୩୦ ତାରିଖ ଦିନ ଉଦ୍‌ଯାପନୀ ଉତ୍ସବ ଅବସରରେ ଓଡ଼ିଶାର ରାଜ୍ୟପାଳ ଡକଫର ହରି ବାବୁ କମ୍ଭମ୍‌ପାଟିି, ଲୋକସଭା ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନାରାୟଣ ସିଂ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡକଫର ଫଗନ ସିଂହ କୁଲସ୍ତେ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ସ୍ୱାସ୍ଥ୍ୟ
ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍‌ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉଦ୍‌ବୋଧନ ଦେବେ । ଓଡ଼ିଶା ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଶ୍ରୀ ଭାସ୍କର ମଢ଼େଇ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ।

ଏହି ସମ୍ମିଳନୀରେ ସାମ୍ବିଧାନିକ ସୁରକ୍ଷାକୁ ସୁଦୃଢ଼ କରିବା, ସାମାଜିକ-ଆର୍ଥିକ ବିକାଶକୁ ବୃଦ୍ଧି କରିବା ଏବଂ ଅନୁସୂଚିତ ଜାତି ଏବଂ ଜନଜାତିକୁ ସଶକ୍ତ କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ସାକାର କରିବାର ଦୃଷ୍ଟିକୋଣ ସହିତ କଲ୍ୟାଣକାରୀ ନୀତିଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନସଭା କମିଟିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବ ।

ସୂଚନାଯୋଗ୍ୟ ଯେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ପ୍ରଥମ ସମ୍ମିଳନୀ ୧୯୭୬ ମସିହାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ପରେ, ୧୯୭୯, ୧୯୮୩, ୧୯୮୭ ଏବଂ ୨୦୦୧ ରେ କ୍ରମାଗତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ କଲ୍ୟାଣ ଏବଂ ସାମ୍ବିଧାନିକ ସୁରକ୍ଷାର ବିବିଧ ଦିଗ ଉପରେ ଏହି ସମ୍ମିଳନୀମାନଙ୍କରେ ଆଲୋଚନା ହୋଇ ନିଷ୍କର୍ଷ ନିର୍ଦ୍ଧାରଣ କରାଯାଇଥିଲା । ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଏପରି ସମ୍ମିଳନୀ ଆୟୋଜନ କରାଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking