ଭୁବନେଶ୍ୱର : ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ପୂର୍ବତନ ବିଜେଡି ବିଧାୟକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ଜେନାଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ଟିମ । ଏହା ସହିତ ଚିତ୍ତରଞ୍ଜନଙ୍କ ପୁତୁରା ଦିଲ୍ଲୀପ ପେଲଇଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ । ତେବେ ଘଟଣାର ପୂର୍ବ ରାତିରେ ଚିତ୍ତରଞ୍ଜନଙ୍କ ସହିତ ମିଶି ଭୋଜି କରିଥିଲେ ସର୍ବେଶ୍ୱର ଓ ଦିଲ୍ଲୀପ ।
ସେଦିନ ରାତିରେ ସାମିଲ ହୋଇଥିବା ଆଉ ୩ ଜଣଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିବ ବୋଲି ଜଣାପଡିଛି । ଭୋଜିଦିନ ରାତିରେ ଉମାକାନ୍ତ ପାଇକରାୟ, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଜଗନ୍ନାଥ ଷଡଙ୍ଗୀ ସାମିଲ ଥିଲେ । ଏହି ଭୋଜି ପୁରୀ ମାଟିଆପଡା ଅଞ୍ଚଳର ଜଗନ୍ନାଥ ଷଡଙ୍ଗୀଙ୍କ ଘରେ ଆୟୋଜିତ ହୋଇଥିଲା । ଏହି ଘଟଣାରେ ଚକ୍ରପଡାର ଜଣେ ମହିଳାଙ୍କୁ ମଧ୍ୟ ସନ୍ଦେହ ଘେରରେ ରଖା ଯାଇଛି । ସଂପୃକ୍ତ ମହିଳା ଜଣଙ୍କ ଘରକୁ ଜଗନ୍ନାଥ ଓ ଚିତ୍ତ ଯିବାଆସିବା କରୁଥିବା କୁହାଯାଇଛି । ସେପଟେ ଆଜି ଚିତ୍ତରଞ୍ଜନଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ । ସୂଚନା ଥାଉକି ଗତ ୧୩ ତାରିଖରେ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ପୁରୀ ନୂଆନଇ ନିକଟରେ ମିଳିଥିଲା । ନଦୀରୁ ମୃତଦେହ ମିଳିବା ପରେ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ।