ବରଗଡ଼ : ବର୍ତ୍ତମାନ ତ୍ରୀସ୍ତରୀୟ ନିର୍ବାଚନ ଚାଲିଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ପ୍ରାର୍ଥୀମାନେ ବିଭିନ୍ନ ଫଣ୍ଡା ଆପଣାଉଛନ୍ତି । କେଉଁଠି ଭୋଜି ଭାତ ଆସର ତ ଆଉ କେଉଁଠି ଟଙ୍କା ବାଣ୍ଟୁଛି ପ୍ରାର୍ଥୀ । ଏପରିକି ଅନେକ ପ୍ରାର୍ଥୀ ବିଭିନ୍ନ ମନଲୋଭା ସାମଗ୍ରୀ ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି । ମାତ୍ର ପ୍ରାର୍ଥୀଙ୍କୁ ଟଙ୍କା ଚାଉଳ ଦେଇ ଭୋଟରମାନେ ସାହାଯ୍ୟ କରୁଥିବା ଏଭଳି ଦୃଶ୍ୟ ଆପଣଙ୍କୁ ଚକିତ କରୁଥିବ । ଗାଇସୀମା ପଞ୍ଚାୟତରେ ଅରୁଣ କୁମ୍ଭାର ନାମକ ଜଣେ ଯୁବକ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରଚାର ବେଳେ ଘରକୁ ଘର ବୁଲି ଭିକ ମାଗୁଛନ୍ତି । ଆଉ ନାରା ଦେଉଛନ୍ତି- ଭୋଟ ସହିତ ନୋଟ୍ ଦିଅ, ଅରୁଣ ଭାଇଙ୍କୁ ଜିତାଇ ଦିଅ । ପାଖରେ ଅର୍ଥ ନଥିବାରୁ ପୋଷ୍ଟର ଓ ବ୍ୟାନ୍ର ତିଆରି କରିବା ପାଇଁ ପ୍ରାର୍ଥୀ ଭିକ ମାଗୁଥିବା ଚର୍ଚ୍ଚା ହେଉଛି । ତାଙ୍କୁ ଗାଇସିମା ଗ୍ରାମବାସୀମାନେ ଛିଡ଼ା କରାଇଥିବା ଜଣାପଡିଛି । ତାଙ୍କ ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ଗାମୁଛା ପତାଇ ଭୋଟ ଭିକ୍ଷା ସହ ନୋଟ ଭିକ୍ଷା କରୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ଟଙ୍କା ପଇସା ଚାଉଳ ଦାନ କରୁଛନ୍ତି । ଗାଁ କୁ ଗାଁ ବୁଲି ଏପରି ପ୍ରଚାର ଚଳାଇଛନ୍ତି । ଏହି ଗାଇସୀମା ପଞ୍ଚାୟତରେ ରାସ୍ତା, ପାନୀୟ ଜଳ ଶିକ୍ଷା, ସ୍ୱାସ୍ଥ୍ୟ ପରି ଅନେକ ସମସ୍ୟା ରହିଛି । ପୂର୍ବରୁ ଅନେକ ଜନପ୍ରତିନିଧି ଏହି ସମସ୍ୟା ଦୂର କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ପ୍ରାର୍ଥୀ ଜଣକ ବିଜୟୀ ହେଲେ ଏ ସବୁ ସମସ୍ୟା ସମାଧାନ କରି ପାରିବେ ବୋଲି ଆଶା ବାନ୍ଧିଛନ୍ତି । ଏହାସହ ତାଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ମୁକ୍ତ ହସ୍ତରେ ଗ୍ରାମବାସୀମାନେ ଦାନ କରିଛନ୍ତି । ଗ୍ରାମବାସୀଙ୍କ ଚାନ୍ଦା ଟଙ୍କାରୁ ବ୍ୟାନର ପୋଷ୍ଟର ଛପାଯାଇ ଲଗାଯାଇଛି । ଗ୍ରାମବାସୀମାନେ ତାଙ୍କ ପାଇଁ ଭୋଟ ପ୍ରଚାର କରୁଛନ୍ତି । ଆସନ୍ତା ୨୪ ତାରିଖ ବରଗଡ଼ ବ୍ଳକ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଭୋଟ ପରେ ହିଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ।