ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ଭୁଲ କାହାର? ଏନେଇ ତରବରିଆ ଭାବେ କୁଳପତି ୨ ଜଣଙ୍କ ନାଁ ନେଇ ଥିଲେ ମଧ୍ୟ ଏବେ ଚୁପ୍ ପଡ଼ିଛନ୍ତି । ତଦନ୍ତ ନହୋଇ ସେମାନଙ୍କ ନାଁ ନିଆଯାଇଥିବାରୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ହେଲେ ପ୍ରଶ୍ନ ତିଆରି କରିବା ଓ ଏହାକୁ ପରିଚାଳନା କରୁଥିବା ପରୀକ୍ଷା ନିୟନ୍ତ୍ରକଙ୍କୁ କାହିଁକି ଘଣ୍ଟା ଘୋଡ଼ାଯାଉଛି ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ନିୟମ ଅନୁସାରେ, ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ଅଧ୍ୟାପକଙ୍କୁ ଚୟନ ପାଇଁ ଏକ କମିଟି ଗଠନ ହୋଇଥାଏ । ହେଲେ ଏଥର ସେମିତି କୌଣସି କମିଟି ଗଠନ ହୋଇନଥିବା ଜଣାପଡ଼ିଛି । ଗୋଟିଏ ବିଷୟର ଗୋଟିଏ ପେପରର ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ପାଇଁ ଜଣେ ଅଧ୍ୟାପକ/ଅଧ୍ୟାପିକାଙ୍କୁ ଦାୟିତ୍ୱ ଦିଆଯାଏ । କିନ୍ତୁ ଏହି ନିୟମକୁ ଜଳାଞ୍ଜଳି ଦେଇ ଜଣେ ଅଧ୍ୟାପକଙ୍କ ହାତରେ ଗୋଟିଏ ବିଷୟର ୩ଟି ପେପର୍ର ପ୍ରଶ୍ନପତ୍ର ତିଆରି କରାଗଲା । ତେଣୁ ପରୀକ୍ଷା ପାଇଁ ଯେଉଁ ଏସଓପି ପାଳନ କରିବା କଥା ତାହା ହୋଇନାହିଁ । ପରୀକ୍ଷା ନିୟନ୍ତ୍ରକ ନିଜ ମନଇଚ୍ଛା କାମ କରିଥିବା ଅଭିଯୋଗ ହୋଇଛି । ଫଳରେ ଏଭଳି ଘଟଣା ଘଟିଥିବା କୁହାଯାଉଛି ।
ଏପଟେ କିନ୍ତୁ ପରୀକ୍ଷା ନିୟନ୍ତ୍ରକଙ୍କୁ ଖସାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ସେ ଏସ୍ଓପି ପାଳନ କରିନଥିଲେ ମଧ୍ୟ ତାଙ୍କୁ ଉତ୍ତରଦାୟୀ କରାଯାଇ ନାହିଁ । ପରୀକ୍ଷା ନିୟନ୍ତ୍ରକଙ୍କ ଭୁଲ୍ ଜଳଜଳ ହୋଇ ଦେଖାଯାଉ ଥିଲେ ମଧ୍ୟ ଏହି ପ୍ରସଙ୍ଗରେ କୁଳପତି ମୁହଁ ଖୋଲୁନାହାନ୍ତି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ବି ସଠିକ୍ ଦିଗରେ ଗତି କରିବ କି ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଖୋଦ୍ କୁଳପତି ଏହି ପ୍ରସଙ୍ଗକୁ ଘୋଡାଇବାକୁ ଚେଷ୍ଟା କରୁଥିବାରୁ ତଦନ୍ତକାରୀ ଦଳ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ଏନେଇ ସମ୍ବଲପୁର କୁଳପତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ସୂଚନା ଥାଉ କି, ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ୨୦୫ ମହାବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷ ଷଷ୍ଠ ସେମିଷ୍ଟାର ପରୀକ୍ଷା ଜାରି ରହିଛି । କଳା, ବାଣିଜ୍ୟ ଏବଂ ବିଜ୍ଞାନ ସମସ୍ତ ବିଭାଗର ପରୀକ୍ଷା ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ଶେଷ ହେବ । ଏହାରି ମଧ୍ୟରେ ଗତ ୧୩ ତାରିଖରେ ଭୌତିକ ବିଜ୍ଞାନ, ୧୪ ତାରିଖରେ ଶିକ୍ଷା ଏବଂ ୧୫ ତାରିଖରେ ଭୌତିକ ବିଜ୍ଞାନ ସମ୍ମାନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିଲେ ।