ମୁମ୍ବାଇ : ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୋଲିସ କମିଶନରଙ୍କୁ ଭେଟିଛନ୍ତି ବଲିଉଡ୍ ଅଭିନେତା ସଲମାନ ଖାନ୍। ଶୁକ୍ରବାର ଦିନ ସଲମାନ୍ ଖାନ୍ ମୁମ୍ବାଇର ପୋଲିସ କମିଶନର ବିବେକ ଫଣସାଲକରଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ କାର୍ୟ୍ୟାଳୟରେ ସାକ୍ଷାତ କରିଛନ୍ତି। ରିପୋର୍ଟ ମୁତାବକ, ସଲମାନ ଅସ୍ତ୍ରର ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏ ନେଇ ସଲମାନ୍ କହିଛନ୍ତି, ପୋଲିସ କମିଶନର ତାଙ୍କର ପୁରୁଣା ବନ୍ଧୁ ଓ ସେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇଥିଲେ। ତେବେ ଗତ ସପ୍ତାହରେ ସଲମାନଙ୍କୁ ଜୀବନରୁ ମାରିବାକୁ ଧମକ ମିଳିବାପରେ ସଲମାନ୍ କମିଶନରଙ୍କୁ ଭେଟିଥିବାରୁ ଏହି ସାକ୍ଷାତକୁ ଅଲଗା ନଜରରେ ଦେଖାଯାଉଛି। ଏ ନେଇ ଜଣେ ଅଧିକାରୀ କହିଛନ୍ତି, ସଲମାନ୍ ସନ୍ଧ୍ୟା ପ୍ରାୟ ୪ଟା ବେଳେ ମୁମ୍ବାଇ ପୋଲିସ ମୁଖ୍ୟାଳୟ ପହଞ୍ଚିଥିଲେ ଓ ଫଣସାଲକରଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ସେ କହିଛନ୍ତି।