ଗ୍ରୀକୋ-ରୋମାନ୍ ପଦକ ଜିତିବାରେ ପ୍ରଥମ ଭାରତୀୟ
ପୋଣ୍ଟେଭେଡ୍ରା : ଭାରତୀୟ ରେସଲର୍ ସାଜନ୍ ଭନ୍ୱାଲ୍ ସ୍ପେନ୍ରେ ଚାଲିଥିବା ଅଣ୍ଡର-୨୩ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଇତିହାସ ରଚିଛନ୍ତି । ସେ ଗ୍ରୀକୋ-ରୋମାନ୍ର ୭୭ କେଜି ଓଜନ ବର୍ଗରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଏହା ସହିତ ଚାମ୍ପିଅନ୍ଶିପ୍ରେ ଗ୍ରୀକୋ-ରୋମାନ୍ କାଟାଗୋରୀରେ ବ୍ରୋଞ୍ଜ୍ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ରେସ୍ଲର୍ ହୋଇଛନ୍ତି । ଏହି ମେଡାଲ୍ ଏଥିପାଇଁ ସ୍ୱତନ୍ତ୍ର କାରଣ ବର୍ତ୍ତମାନ ସୁଦ୍ଧା ଭାରତୀୟ ରେସ୍ଲର୍ମାନେ କେବଳ ଫ୍ରିଷ୍ଟାଇଲ୍ରେ ହିଁ ପଦକ ଜିତୁଥିଲେ । ବ୍ରୋଞ୍ଜ୍ ପଦକ ପ୍ଲେଅଫ୍ ମ୍ୟାଚ୍ର ପ୍ରଥମ ରାଉଣ୍ଡ୍ରେ ସାଜନ୍ ୟୁକ୍ରେନ୍ର ଦିମିତ୍ରୋ ଭାତେସ୍ସ୍କିଙ୍କଠାରୁ ୪-୧୦ରେ ପଛୁଆ ରହିଥିଲେ ।
ଦ୍ୱିତୀୟ-ତୃତୀୟ ରାଉଣ୍ଡ୍ରେ ଭାରତୀୟ ରେସ୍ଲର୍ ୧୦-୧୦ ପଏଣ୍ଟ୍ରେ ବରାବର ହୋଇଥିଲେ । ପରେ ମ୍ୟାଚ୍ ପଏଣ୍ଟ ସହ ରେଫରୀ ତାଙ୍କୁ ବିଜେତା ଘୋଷଣା କରିଥିଲେ । ସାଜନ୍ ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ମାଲ୍ଦୋଭାର ଆଲେକ୍ଜାଣ୍ଡ୍ରିନ୍ ଗୁଟୁଙ୍କଠାରୁ ୦-୮ରେ ପରାଜିତ ହୋଇଥିଲେ । ତେବେ ଗୁଟୁ ଫାଇନାଲ୍ରେ ପ୍ରବେଶ କରିବା ପରେ ସାଜନ୍କୁ ରେପଚେଜ୍ ଖେଳିବା ସୁଯୋଗ ମିଳିଥିଲା । ଏଥିରେ ସେ କଜାଖସ୍ତାନର ରସୁଲ୍ ଜୁନିୟସ୍ଙ୍କୁ ୯-୬ରେ ହରାଇ ବୋଞ୍ଜ୍ ପଦକ ପ୍ଲେଅଫ୍ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ ।
ସେହିପରି ୭୨ କେଜି ଓଜନ ବର୍ଗର ସେମିଫାଇନାଲ୍ରେ କ୍ରୋଏସିଆର ପାଭେଲ୍ ପୁକ୍ଲାଭେଚ୍ଙ୍କଠାରୁ ପରାଜିତ ହୋଇଥିବା ବିକାଶ ବ୍ରୋଞ୍ଜ୍ ପଦକ ପାଇଁ ଲଢ଼ିରେ । ବ୍ରୋଞ୍ଜ୍ ପଦକ ମ୍ୟାଚ୍ରେ ସେ ଜର୍ଜିଆର ଥିଓଡୋରୋସ୍ ସୋଟିରିଆଡିସ୍ ଓ ଜାପାନର ଦାଇଗୋ କୋବାୟାଶୀଙ୍କ ମଧ୍ୟରେ ହେବାକୁ ଥିବା ରେପଚେଜ୍ ମ୍ୟାଚ୍ର ବିଜେତାଙ୍କୁ ଭେଟିବେ । ୬୦ କେଜି ବର୍ଗର ରେପଚେଜ୍ ରାଉଣ୍ଡ୍ରେ ସୁମିତ୍ କଜାଖସ୍ତାନର ଓଲ୍ଝା ସୁଲ୍ତାନ୍ଙ୍କୁ ଭେଟିବେ । ତେବେ ୬୭ କେଜି ବର୍ଗରେ ଆଶୁ କ୍ୱାଲିଫିକେସନ୍ ରାଉଣ୍ଡ୍ରେ ଜର୍ଜିଆର ଡିଏଗୋ ଚଖିକ୍ଭାଡ୍ଜେଙ୍କଠାରୁ ପରାଜିତ ହୋଇଛନ୍ତି । ଏହି ଚାମ୍ପିଅନ୍ଶିପ୍ ପାଇଁ ଭାରତର ଛଅଜଣ କ୍ରୀକୋ-ରୋମାନ୍ ରେସ୍ଲର୍ ଦୁଇଜଣ ମହିଳା ଏବଂ ଜଣେ ଫ୍ରିଷ୍ଟାଇଲ୍ ରେସ୍ଲର୍ଙ୍କ ସହ ସ୍ପେନ୍ ଯାତ୍ରା କରିଛନ୍ତି । ଅନ୍ୟ ୨୧ ଜଣ ରେସ୍ଲର୍ଙ୍କ ଭିସା ସ୍ପେନ୍ ଦୂତାବାସ ଦ୍ୱାରା ଅଗ୍ରାହ୍ୟ ହୋଇଯାଇଥିଲା ।