ନୂଆଦିଲ୍ଲୀ : ଦିଲ୍ଲୀର ସାହିନବାଗ ଅଞ୍ଚଳରେ ସୋମବାର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ବସ୍ତି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ସକାଳ ୧୦ଟା ସମୟରେ ଶତାଧିକ ପୁଲିସ କର୍ମୀଙ୍କ ସହଯୋଗରେ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀମାନେ ଏକାଧିକ ବୁଲଡୋଜର ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ଜଣାପଡିବାପରେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କଂଗ୍ରେସ ଦଳର କେତେକ ସମର୍ଥକ ବୁଲଡୋଜର ସମ୍ମୁଖରେ ବସିବା ସହ କେନ୍ଦ୍ର ସରକାର ଏବଂ ବିଜେପି ନେତୃତ୍ୱାଧୀନ ଏନ୍ଡିଏମ୍ସି ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ । ତେବେ ଏକ ଅସ୍ଥାୟୀ କୋଠାଘରକୁ ଭଙ୍ଗାଯାଉଥିବାବେଳେ ଓଖ୍ଲା ଆପ୍ ବିଧାୟକ ଅମାନାତୁଲ୍ଲା ଖାନ୍ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ ।
ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ସ୍ଥାନୀୟ କମିଟି ସଦସ୍ୟଙ୍କ ସହ ଆଲୋଚନା ପରେ ଉଚ୍ଛେଦ କାର୍ଯ୍ୟକ୍ରମକୁ ଆପାତତଃ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରୋଶ ହଟାଇବାକୁ ବୁଲଡୋଜରଗୁଡିକୁ ପୁଣି ଫେରାଇ ନିଆଯାଇଛି । ଅପରପକ୍ଷରେ ସାଉଥ୍ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ବରିଷ୍ଠ ଅଧିକାରୀ ରାଜପାଲ କହିଛନ୍ତି ଯେ ବେଆଇନଭାବେ କରାଯାଇଥିବା ନିର୍ମାଣ କାର୍ଯ୍ୟକୁ ନିଶ୍ଚିତଭାବେ ଉଚ୍ଛେଦ କରାଯିବ । ଏଥିପାଇଁ କର୍ପୋରେସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏପରିକି ଏହି ଅଭିଯାନକୁ ସାଉଥ୍ ଦିଲ୍ଲୀର ମେୟର ମୁକେଶ ସୂର୍ଯ୍ୟନ୍ ମଧ୍ୟ ସମର୍ଥନ ଜଣାଇଛନ୍ତି ।
ସୂଚନାଯୋଗ୍ୟ ସାହିନବାଗରେ ରୋହିଙ୍ଗ୍ୟା ଓ ବାଂଲାଦେଶୀ ଶରଣାର୍ଥୀମାନେ ବେଆଇନଭାବେ ଘର ନିର୍ମାଣ କରି ବହୁସଂଖ୍ୟାରେ ବାସ କରୁଥିବାରୁ ଏଠାରେ ଉଚ୍ଛେଦ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ଗତମାସରେ ଏନ୍ଡିଏମ୍ସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅନୁେରୋଧ କରିଥିଲେ । ଅପରପକ୍ଷରେ ଏଭଳି ଉଚ୍ଛେଦ ଅଭିଯାନ ପ୍ରତିବାଦରେ ସିପିଏମ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଛି । ଏହାର ଜରୁରୀ ଶୁଣାଣି କରିବାକୁ ସିପିଏମ ଓକିଲ ଦାବି କରିଛନ୍ତି ।
ତେବେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ପିଟିସନଧାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ନାଗରିକ ସଂଶୋଧନ ଆଇନ (ସିଏଏ) ପ୍ରତିବାଦରେ ସାହିନବାଗରେ ୨୦୧୯-୨୦ରେ ଦୀର୍ଘଦିନ ଧରି ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା । ନିକଟ ଅତୀତରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଏଭଳି ଉଚ୍ଛେଦ କାର୍ଯ୍ୟକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଥିବାବେଳେ ବର୍ତ୍ତମାନ ସାହିନବାଗ ଏନ୍ଡିଏମସି କର୍ତ୍ତୃପକ୍ଷଙ୍କ ଟାର୍ଗେଟ ପରିସରକୁ ଆସିଛି ।