ନୂଆଦିଲ୍ଲୀ:ସାଗୁ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ। ପର୍ବ ପର୍ବାଣୀରେ ଉପବାସ ରହିବା ବେଳେ ପ୍ରାୟତଃ ସମସ୍ତେ ସାଗୁ ଖାଇବା ପାଇଁ ପସନ୍ଦ କରିଥାଆନ୍ତି। ଅନେକ ଲୋକ ଏହାକୁ ସକାଳ ଜଳଖିଆ ଭାବରେ ମଧ୍ୟ ଗ୍ରହଣ କରନ୍ତି। ଏହାଛଡା ଛୋଟ ଛୁଆ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସାଗୁ ଖାଇବାକୁ ଦିଆଯାଏ। ଏହା ପେଟକୁ ଥଣ୍ଡା ରଖେ ବୋଲି ସମସ୍ତେ ଜାଣିଥିବେ। କିନ୍ତୁ ଏହାର ଉପକାରୀ ଗୁଣ ବିଷୟରେ ହୁଏତ କେହି ଅବଗତ ନଥିବେ।
ଏହା ଏକ ପୁଷ୍ଟିକର ଖାଦ୍ୟ ଅଟେ। ଏଥିରେ ଫାଇବର, ଆଇରନ, ପୋଟାସିୟମ୍ , କ୍ୟାଲସିୟମ୍ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ପର୍ଯ୍ୟାପ୍ତ ପରିମାଣରେ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। ଏହାଛଡା ଏହା ଏକ ସନ୍ତୁଳିତ ଖାଦ୍ୟ ଅଟେ। ଏଥିରେ ପ୍ରୋଟିନ୍, ମିନେରାଲ୍ସ ଓ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଥାଏ। ସାଗୁରୁ ପ୍ରସ୍ତୁତ ଖିରି, ଖେଚୁଡି ଓ ବରା ଆଦି ବହୁତ ସ୍ୱାଦିଷ୍ଟ ହୋଇଥାଏ।
ଏହା ଏକ ଷ୍ଟାର୍ଚ୍ଚି ପଦାର୍ଥ ଅଟେ। ଏହାକୁ ତାଳ ବା ଖଜୁରୀ ଜାତୀୟ ଗଛରୁ ପ୍ରସ୍ତୁତ କରାଯାଇଥାଏ। ଏହି ଗଛର ଗଣ୍ଡି ମଧ୍ୟରେ ଥିବା ଧଳା ପଦାର୍ଥରୁ ବାହାର କରି ଏହାକୁ ଶୁଖାଇ ପାଉଡ଼ରରେ ପରିଣତ କରାଯାଏ। ଏହାପରେ ଏହାକୁ ବିଭିନ୍ନ ଋପରେ ବ୍ୟବହାର କରାଯାଉଥିଲେ ମଧ୍ୟ ଏହାର ଅଧିକାଂଶ ବ୍ୟବହାର “ସାଗୁ ଦାନା” ଆକାରରେ କରାଯାଏ। ଯାହାକି ମୋତି ପରି ଦେଖାଯାଏ।
ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏହି ପୁଷ୍ଟିକର ଖାଦ୍ୟରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏଥିରେ ଅଧିକ ପରିମାଣର କ୍ୟାଲୋରୀ ମଧ୍ୟ ରହିଥାଏ। କାରଣ ମୌଳିକ ଭାବରେ ଏହା ଷ୍ଟାର୍ଚରୁ ପ୍ରସ୍ତୁତ। ଯେଉଁଥିରେ କାର୍ବସ ଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବାରେ ସାହାଯ୍ୟ କରିଥାଏ । କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ସାଗୁ ତ୍ୱଚା ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ। ତ୍ୱଚାର ଚମକ ପାଇଁ ମଧ୍ୟ ଆପଣ ସାଗୁ ବ୍ୟବହାର କରାଯାଇଥାଏ।
ଏପରିକି ଆପଣ ଚେହେରାକୁ ଚମକଦାର ବନାଇବାକୁ ସାଗୁର ଫେସ୍ପ୍ୟାକ୍ ତିଆରି କରି ଲଗାଇ ପାରିବେ। ଏହାଛଡା କେଶ ଜନିତ ସମସ୍ୟାକୁ ଦୂର କରିବା ପାଇଁ ମଧ୍ୟ ସାଗୁ ଦାନା ବ୍ୟବହାର କରାଯାଇଥାଏ। ଏଥିରୁ ପ୍ରସ୍ତୁତ ହେୟାର ମାସ୍କ ଲଗାଇଲେ ସମସ୍ତ ପ୍ରକାରର କେଶ ସମସ୍ୟା ଦୂର ହୋଇଥାଏ । ସାଗୁକୁ ପାଣିରେ ଫୁଟାଇ ଥଣ୍ଡା ଥଣ୍ତା ହେବା ପରେ ଏଥିରେ ଘିଅକୂଆଁରୀ ରସ ମିଶାଇ କେଶରେ ଲଗାଇଲେ ସୁଫଳ ମିଳିଥାଏ।