ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଷ୍ଟେଟ ରିଜର୍ଭ ପୁଲିସ ଫୋର୍ସ (ଏସ୍ଆର୍ପିଏଫ୍)ର ଜଣେ ଯବାନ ଆଜି ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଜାମନେର ସହରସ୍ଥିତ ନିଜ ପୈତୃକ ବାସଭବନରେ ଏହି ଯବାନଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ୍ ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ସୂଚନାନୁସାରେ ମୃତ ଯବାନଙ୍କ ନାଁ ପ୍ରକାଶ କାପଡ଼େ (୩୯) ଏବଂ ସେ କିଛି ଦିନ ତଳେ ଛୁଟିରେ ନିଜ ତାଙ୍କ ପୈତୃକ ସହର ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାର ଜାମନେର ଯାଇଥିଲେ । ଜାମନେର ସ୍ଥିତ ନିଜ ପୈତୃକ ଘରେ ହିଁ ସେ ଆତ୍ମହତ୍ୟା କରିଛନ୍ତି । ତେବେ କାପଡ଼େ ନିଜ ସରକାରୀ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ ସର୍ବପ୍ରଥମେ ପୁଲିସ୍କୁ ସୂଚନା ଦିଆଯାଇଥିଲା । ତାଙ୍କ ପରିବାରରେ ବୟସ୍କ ମାତା-ମାତା, ପତ୍ନୀ, ଦୁଇ ପିଲା, ଜଣେ ଭାଇ ଏବଂ ଅନ୍ୟ ସଦସ୍ୟ ଅଛନ୍ତି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ବର୍ତ୍ତମାନସୁଦ୍ଧା ଜଣାପଡ଼ିନାହିଁ । ସୂତ୍ରରୁ ଜଣାପଡିଛି ଯେ, ଏସ୍ଆର୍ପିଏଫ୍ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ କରାଯିବାର ସମ୍ଭାବନା ରହିଛି, କାରଣ ଯବାନ୍ ଜଣକ ଭିଭିଆଇପି ସୁରକ୍ଷାରେ ନିୟୋଜିତ ଥିଲେ ।