କଟକ: ମେଜର ବାନ୍ଧବୀଙ୍କ ନାମରେ ଭରତପୁର ଥାନାରେ ହୋଇଥିବା ମାମଲା ଖାରଜ କରିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ଆଜି ହୋଇଛି। ବିଚାରପତି ଆଦିତ୍ୟ ମହାପାତ୍ର ଏହି ମାମଲାର ଶୁଣାଣି କରି ମାମଲା ସଂକ୍ରାନ୍ତୀୟ ସମସ୍ତ ରେକର୍ଡପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମାମଲାର ସଠିକ ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ହାଇକୋର୍ଟ ତାଗିଦ୍ କରିଛନ୍ତି। ଅକ୍ଟୋବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତିି। ସୂଚନାନୁସାରେ, ମେଜରଙ୍କ ବାନ୍ଧବୀଙ୍କ ନାମରେ ଭରତପୁର ଥାନାରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାକୁ ଖାରଜ କରିବା ନେଇ ମେଜରଙ୍କ ବାନ୍ଧବୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ କିଛିଦିନ ହେବ ମେଜର ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୁଲିସ ନିର୍ଯାତନାକୁ ନେଇ ସାରା ରାଜ୍ୟରେ ହଟ୍ଟଚମଟ ଲାଗିରହିଛି। ଏପରିସ୍ଥଳେ ଭରତପୁର ଥାନା ଘଟଣାରେ ହାଇକୋର୍ଟ ନିଜ ଆଡ଼ୁ ରୁଜୁ କରିଥିବା ମାମଲାର ଶୁଣାଣି କରି ଗତ ୨୩ ତାରିଖରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ ସାର୍ବଜନୀନ ନ କରିବାକୁ ଆଦେଶ ଦେଇଛନ୍ତି।










