ନୂଆଦିଲ୍ଲୀ : ଅନ୍ଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ନିଜର ଏକ ବିଜ୍ଞାପନ ପାଇଁ କ୍ଷମାପ୍ରାର୍ଥନା କରିଛି । କମ୍ପାନୀ ଏକ ବୟାନ ଜାରିକରି କହିଛି, ଆମେ ଉଜ୍ଜୟିନୀବାସୀଙ୍କ ସମ୍ମାନ କରିଥାଉ ଏବଂ ଏହି ବିଜ୍ଞାପନର ପ୍ରସାରଣକୁ ମଧ୍ୟ ବନ୍ଦ କରିଦେଇଛୁ । କମ୍ପାନୀର ବିଜ୍ଞାପନରେ ଉଜ୍ଜୟିନୀର ମହାକାଳେଶ୍ୱରଙ୍କୁ ଯୋଡ଼ାଯାଇଥିଲା । ବିଜ୍ଞାପନରେ ବଲିଉଡ୍ ଅଭିନେତା ଋତିକ୍ ରୋଶନ୍ଙ୍କୁ କହିବାର ଦେଖିବାକୁ ମିଳିଥିଲା ଯେ ଥାଳୀର ମନ ହେଲା। ଉଜ୍ଜୟିନୀରେ ଅଛି, ତେଣୁ ମହାକାଳ ଥାଳୀ ମଗାଇଦେଲି । ଏହାକୁ ମହାକାଳ ମନ୍ଦିରର ପୂଜାରୀମାନେ କଡ଼ା ବିରୋଧ କରିବା ପରେ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେମାନେ କହିଥିଲେ ମହାକାଳ ମନ୍ଦିର କୌଣସି ଥାଳୀ ଡେଲିଭରୀ କରିନଥାଏ ।
ଏହା ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି କହିବା ସହ ଋତିକ୍ ରୋଶନ୍ ଏବଂ ଜୋମାଟୋ ବିଜ୍ଞାପନ ପାଇଁ କ୍ଷମାପ୍ରାର୍ଥନା କରିବାକୁ ସେମାନେ ଦାବି କରିଥିଲେ । ଏହା ସହିତ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମହାକାଳ ମନ୍ଦିର ଟ୍ରଷ୍ଟ୍ର ଅଧ୍ୟକ୍ଷ ଥିବା ଉଜ୍ଜୟିନୀ ଜିଲ୍ଲାପାଳ ଆଶିଷ ସିଂହଙ୍କୁ ମଧ୍ୟ ଅନୁରୋଧ କରିଥିଲେ । ମନ୍ଦିର ପୂଜାରୀ ମହେଶ କହିଛନ୍ତି, କମ୍ପାନୀ ନିଜ ବିଜ୍ଞାପନରେ ମହାକାଳ ମନ୍ଦିରକୁ ନେଇ ଭ୍ରମାତ୍ମକ ପ୍ରଚାର କରିଛି । ଏପରି ବିଜ୍ଞାପନ ଜାରି କରିବା ପୂର୍ବରୁ କମ୍ପାନୀ ଚିନ୍ତା କରିବାର ଥିଲା ।
ହିନ୍ଦୁ ସମାଜ ସହିଷ୍ଣୁ ଏବଂ କେବେ ଉଗ୍ର ହୋଇନଥାଏ । ଯଦି ଅନ୍ୟ କୌଣସି ସମ୍ପ୍ରଦାୟ ହୋଇଥ।।ନ୍ତା, ତେବେ କମ୍ପାନୀରେ ନିଆଁ ଲଗାଇଦେଇଥାନ୍ତେ । ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ଉଜ୍ଜୟିନୀ ଏସ୍ପିଙ୍କୁ ଭିଡିଓର ସତ୍ୟତା ଯାଞ୍ଚକରି ମୋତେ ରିପୋର୍ଟ ଦେବାକୁ କହିଛି । ଫଳରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଉଲ୍ଲେଖଯୋଗ୍ୟ, ମହାକାଳ ମନ୍ଦିର (ମହାକାଳେଶ୍ୱର) ଭଗବାନ ଶିବଙ୍କୁ ଉତ୍ସର୍ଗିତ ଦେଶରେ ଥିବା ୧୨ ଜ୍ୟୋତିର୍ଲିର୍ଙ୍ଗ ମଧ୍ୟରୁ ଅନ୍ୟତମ ।