ମସ୍କୋ : ରୁଷ୍-ୟୁକ୍ରେନ୍ ଯୁଦ୍ଧ ବୁଧବାର ସୁଦ୍ଧା ୪୧ ଦିନରେ ପହଞ୍ଚିଥିବାବେଳେ ଏହାକୁ ବନ୍ଦ କରିବାକୁ ରୁଷ୍ ଆଗ୍ରହ ପ୍ରକାଶ କରିଛି । ତେବେ ୟୁକ୍ରେନ୍ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ରୁଷ୍ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଛି । ଭବିଷ୍ୟତରେ ନାଟୋ ସଦସ୍ୟତା ଗ୍ରହଣ କରିବ ନାହିଁ ବୋଲି ୟୁକ୍ରେନ୍ ଯଦି ନିର୍ଭର ପ୍ରତିଶ୍ରୁତି ଦେବ ଏବଂ ଏଥିପାଇଁ ନିଜର ସମ୍ବିଧାନକୁ ସଂଶୋଧନ କରିବ, ତାହାହେଲେ ରୁଷ୍ ଯୁଦ୍ଧ ବନ୍ଦ ପାଇଁ ଆଗେଇ ଆସିବ ବୋଲି ସର୍ତ୍ତ ରଖାଯାଇଛି । ଏହାବ୍ୟତୀତ ପୂର୍ବାଞ୍ଚଳର ଦୁଇଟି ବିଚ୍ଛିନ୍ନାଞ୍ଚଳ ଡୋନେସ୍କ୍ ଓ ଲୁହାନ୍ସ୍କଙ୍କୁ ୟୁକ୍ରେନ୍ ସ୍ୱାଧୀନ ରାଷ୍ଟ୍ରଭାବେ ସ୍ୱୀକୃତି ଦେବାକୁ ମଧ୍ୟ ରୁଷ୍ ସର୍ତ୍ତ ରଖିଛି । ତୃତୀୟରେ ୨୦୧୪ରେ ରୁଷ୍ ପକ୍ଷରୁ କ୍ରିମିଆକୁ କବ୍ଜା କରାଯାଇଥିବାବେଳେ ୟୁକ୍ରେନ୍ ମଧ୍ୟ ଏହାକୁ ସ୍ୱୀକୃତି ଦେବାକୁ ରୁଷ୍ ଦାବି କରିଛି । ଶାନ୍ତି ଆଲୋଚନାକୁ ସାକାର କରିବାକୁ ରୁଷ୍ ସେନା ବର୍ତ୍ତମାନ ୟୁକ୍ରେନ୍ ରାଜଧାନୀ କିଏଭ୍ ଉପରେ ଚାଲିଥିବା ଆକ୍ରମଣକୁ ସାମୟିକଭାବେ ସ୍ଥଗିତ ରଖିଛି ବୋଲି କ୍ରେମଲିନ୍ ପକ୍ଷରୁ କୁହାଯାଇଛି । ଫଳରେ ଉଭୟପକ୍ଷ ସ୍ଥିର ଚିତ୍ତରେ ଏହି ପ୍ରସଙ୍ଗରେ ଆଲୋଚନା କରିପାରିବେ ବୋଲି ଆଶା କରାଯାଉଛି । ରୁଷ୍ ଇତିମଧ୍ୟରେ କିଏଭ୍ ନିକଟରେ ମୁତୟନ କରିଥିବା ସୈନ୍ୟ ସଂଖ୍ୟାର ପ୍ରାୟ ଦୁଇ ତୃତୀୟାଂଶକୁ ବେଲାରୁଷ୍କୁ ସ୍ଥାନାନ୍ତ କରିସାରିଛି । ରୁଷ୍ ଏହାକୁ ସଦିଚ୍ଛାମୂଳକ ପଦକ୍ଷେପ ବୋଲି କହୁଥିବାବେଳେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ କିନ୍ତୁ ଏହାକୁ ରୁଷ୍ର ପରାଜୟ ବୋଲି ଆଖ୍ୟା ଦେଉଛନ୍ତି । ଅପରପକ୍ଷରେ ୟୁକ୍ରେନ୍ ପକ୍ଷରୁ ଆଲୋଚନା ପାଇଁ ଭିନ୍ନ ସର୍ତ୍ତ ରଖାଯାଇଛି । ରୁଷ୍ ପ୍ରଥମେ ଯୁଦ୍ଧବିରତି ଘୋଷଣା କରିବା ସହ ସେନା ପ୍ରତ୍ୟାହାର କରିବାକୁ ୟୁକ୍ରେନ୍ ପ୍ରତିନିଧିମଣ୍ଡଳର ଅନ୍ୟତମ ସଦସ୍ୟ ମିଖାଇଲୋ ପୋଡୋଲ୍ୟାକ୍ କହିଛନ୍ତି । କୌଣସି ପରିସ୍ଥିତିରେ ଡୋନେସ୍କ୍ ଓ ଲୁହାନ୍ସ୍କକୁ ସ୍ୱୀକୃତି ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।