ନୂଆଦିଲ୍ଲୀ: ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଗୁରୁବାର ସନ୍ଧ୍ୟାରେ ଭାରତରେ ଆସି ପହଞ୍ଚିଛନ୍ତି । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୟୁକ୍ରେନ୍ ବିପକ୍ଷ ଯୁଦ୍ଧ ପରଠାରୁ ରୁଷ୍ର କୌଣସି ବରିଷ୍ଠ ନେତା ପ୍ରଥମ ଥର ଭାରତ ଗସ୍ତରେ ଆସୁଛନ୍ତି । ରୁଷ୍ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ଯେଉଁ କଟକଣା ଲାଗୁ କରିଛନ୍ତି, ସେ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ଜାଣିବାକୁ ଏବଂ ୟୁକ୍ରେନ୍ ଆକ୍ରମଣ ପଛରେ ରୁଷ୍ର ଯୁକ୍ତିକୁ ଯଥାର୍ଥ ବୋଲି ପ୍ରତିପାଦନ କରିବାକୁ ଲାଭ୍ରୋଭ୍ ଭାରତ ଆସିଛନ୍ତି ବୋଲି କୂଟନୈତିକ ମହଲ ଆକଳନ କରୁଛନ୍ତି । ଏପ୍ରିଲ ୧୧ରେ ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କର ଆମେରିିକୀୟ ପ୍ରତିପକ୍ଷଙ୍କ ସହ ୨+୨ ବୈଠକରେ ମିଳିତ ହେବାକୁ ଯାଉଥିବାବେଳେ ଲାଭ୍ରୋଭ୍ଙ୍କ ଏହି ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ।