ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ପୁଣି ତେଜିଛି ଯୁଦ୍ଧ। ୟୁକ୍ରେନ ଉପରେ ଏକ ଭୟଙ୍କର ଆକ୍ରମଣ କରିଛି ରୁଷିଆ। ୟୁକ୍ରେନ୍ର ଜାପୋରିଝିଆ ଅଞ୍ଚଳରେ ଥିବା ଏକ ମାନବିକ ସହାୟତା କେନ୍ଦ୍ର ଉପରେ ରୁଷିଆ ସେନା ବୋମାମାଡ଼ କରିଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ୟୁକ୍ରେନ୍ ଅଧିକାରୀମାନେ କହିଛନ୍ତି। ଏଥିସହ ୨୭ ଜଣ ନିଖୋଜ ଥିବା ଜଣାପଡ଼ିଛି। ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଯୁଦ୍ଧର ପଞ୍ଚମ ବର୍ଷରେ ପହଞ୍ଚିଥିବା ବେଳେ ଏଭଳି ଆକ୍ରମଣ ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ପୁଣି ଏକ ବଡ଼ ଝଟକା ଦେଇଛି। ତେବେ ଏହି ଘଟଣା ପରେ ଆମେରିକା ପକ୍ଷରୁ ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ନୂଆ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଘୋଷଣା କରାଯାଇଛି।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ କହିବା ଅନୁଯାୟୀ, ଜାପୋରିଝିଆ ଅଞ୍ଚଳର କୋମିଶୁଭାଖା ଗାଁରେ ଥିବା ଏକ ସ୍କୁଲ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିଲା। ଯୁଦ୍ଧକ୍ଷେତ୍ରର ଅତି ନିକଟରେ ଗାଁଟି ଅବସ୍ଥିତ ଥିବାରୁ ସ୍କୁଲ୍ରେ ପିଲାମାନଙ୍କ ପାଠପଢ଼ା ବନ୍ଦ ରହିଥିଲା। ଏହାକୁ ଏକ ଆଶ୍ରୟସ୍ଥଳ ଏବଂ ମାନବିକ ସହାୟତା ବଣ୍ଟନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଥିଲା। ପ୍ରତି ସୋମବାର ଗାଁରେ ରହିଯାଇଥିବା ଲୋକମାନେ ସେଠାକୁ ଆସି ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ପ୍ୟାକେଟ୍ ସଂଗ୍ରହ କରୁଥିଲେ। ଲୋକମାନେ ସହାୟତା ସାମଗ୍ରୀ ନେବାକୁ ପହଞ୍ଚୁଥିବା ସମୟରେ ପ୍ରଥମେ ରୁଷିଆ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା।
ଏହାପରେ ପୁଣି ଥରେ ବୋମାମାଡ଼ କରାଯାଇ ଆଶ୍ରୟସ୍ଥଳକୁ ଟାର୍ଗେଟ୍ କରାଯାଇଥିଲା। ଏହାକୁ ସେ ଏକ ଘୃଣ୍ୟ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ପ୍ରତି ସପ୍ତାହରେ ସେଠାରେ ମାନବିକ ସହାୟତା ବଣ୍ଟନ ହେଉଥିବା କଥା ରୁଷିଆ ଜାଣି ମଧ୍ୟ ଏହି ଆକ୍ରମଣ କରିଥିବା କହିଛନ୍ତି ଭୋଲୋଦିମିର।










