21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଇସ୍ତାନବୁଲରେ ହେବ ରୁଷ-ୟୁକ୍ରେନ ଶାନ୍ତି ଆଲୋଚନା

ଇସ୍ତାନବୁଲରେ ହେବ ରୁଷ-ୟୁକ୍ରେନ ଶାନ୍ତି ଆଲୋଚନା

ଇସ୍ତାନବୁଲ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଇସ୍ତାନବୁଲରେ ଆଗାମୀ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ରୁଷ। ରୁଷର ବୈଦେଶିକ ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ ଘୋଷଣା କରିଛନ୍ତି ଯେ, ଏହି ଆଲୋଚନାରେ ରୁଷ ଏକ ଶାନ୍ତି ମେମୋରାଣ୍ଡମ ଉପସ୍ଥାପନ କରିବ। ଯେଉଁଥିରେ ଯୁଦ୍ଧବିରତି ଏବଂ ଦୀର୍ଘକାଳୀନ ଶାନ୍ତି ପାଇଁ ପ୍ରସ୍ତାବ ରହିବ। ଏହା ସହିତ ରୁଷର ପ୍ରତିନିଧି ଦଳର ନେତୃତ୍ୱ ନେବେ ଭ୍ଲାଦିମୀର ମେଦିନସ୍କି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ଆଲୋଚନାରେ ଅଂଶଗ୍ରହଣ ପାଇଁ ସହମତି ପ୍ରକାଶ କରିଛନ୍ତି। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ, କ୍ରେମଲିନ ତାଙ୍କ ଶାନ୍ତି ପ୍ରସ୍ତାବର ମେମୋରାଣ୍ଡମ ପୂର୍ବରୁ ଉପସ୍ଥାପନ କରିବା ଆବଶ୍ୟକ। ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ, ରୁଷ ଶାନ୍ତି ପ୍ରକ୍ରିୟାକୁ ବିଳମ୍ବ କରୁଛି ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଉନାହିଁ।

ଏହି ଆଲୋଚନା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚାପରେ ଆଗେଇ ଚାଲିଛି। ଯିଏ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ରୁଷ ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଟ୍ରମ୍ପଙ୍କ ସହ ତାଙ୍କର ଆଲୋଚନାରେ ଯଦି ରୁଷ ଯୁଦ୍ଧବିରତି ପାଇଁ ରାଜି ନ ହୁଏ। ତେବେ ଆମେରିକା ନୂଆ ପ୍ରତିବନ୍ଧକ ଲଗାଇପାରେ। ପୂର୍ବରୁ ମଇ ୧୬ ତାରିଖରେ ଇସ୍ତାନବୁଲରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଉଭୟ ପକ୍ଷ ମଧ୍ୟରେ ୧୦୦୦ ଜଣ ଯୁଦ୍ଧବନ୍ଦୀ ବିନିମୟ ପାଇଁ ସହମତି ହୋଇଥିଲା। କିନ୍ତୁ ଯୁଦ୍ଧବିରତି ବା ଶାନ୍ତି ଚୁକ୍ତି ନେଇ କୌଣସି ବଡ଼ ଅଗ୍ରଗତି ହୋଇନଥିଲା। ରୁଷ ନିଜର ସର୍ତ୍ତଗୁଡ଼ିକୁ ଜୋରଦେଇ ଚାଲିଛି, ଯେଉଁଥିରେ ୟୁକ୍ରେନକୁ ନାଟୋରେ ସାମିଲ ହେବାରୁ ବିରତ ରହିବା, ରୁଷ ଅଧିକୃତ ଅଞ୍ଚଳରୁ ୟୁକ୍ରେନୀୟ ସୈନ୍ୟ ପ୍ରତ୍ୟାହାର ଏବଂ ୟୁକ୍ରେନର ସୈନ୍ୟ ଆକାର ଉପରେ ସୀମା ଲଗାଇବା ଆଦି ସାମିଲ ରହିଛି। ଜେଲେନସ୍କି ଏହି ସର୍ତ୍ତଗୁଡ଼ିକୁ ଅଗ୍ରାହ୍ୟ କରିଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking