କିଏଭ: ରୁଷ୍-ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ରୁଷୀୟ ସେନା ୟୁକ୍ରେନ୍ର ଜପୋଜିରିୟା ନ୍ୟୁକ୍ଲିୟର୍ ପ୍ଳାଣ୍ଟ୍କୁ ନିଜ ଅକ୍ତିଆରକୁ ନେଇଛି । ଶୁକ୍ରବାର ଭୋର୍ରୁ ଏହାକୁ ଟାର୍ଗେଟ୍ କରି ରୁଷ୍ ସେନା ଘନ ଘନ ରକେଟ୍ ମାଡ଼ କରିବା ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା । ପରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଆକ୍ରମଣ ପରେ ମଧ୍ୟ ଏହାର ବିକିରଣ ସ୍ତର ପୂର୍ବପରି ନିୟନ୍ତ୍ରଣରେ ଅଛି । ଆକ୍ରମଣରେ କୌଣସି ହତାହତ ଖବର ମିଳିନାହିଁ । ଅନ୍ୟପକ୍ଷରେ ଏହି ଆକ୍ରମଣ ପରେ ବିଶ୍ୱସାରା ହଇଚଇ ସୃଷ୍ଟି ହୋଇଛି । ଆକ୍ରମଣ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ସହ ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଜନ୍ସନ୍ କହିଛନ୍ତି, ଏହି ପ୍ରସଙ୍ଗ ରୁଷ୍ ଓ ଅନ୍ୟ ସହଯୋଗୀଙ୍କ ନିକଟରେ ଉଠାଇବେ । ଏହା ସହିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବା ପାଇଁ ମଧ୍ୟ କହିଛନ୍ତି । ରୁଷ୍ ତୁରନ୍ତ ଆକ୍ରମଣ ବନ୍ଦ କରିବା ଆବଶ୍ୟକ ବୋଲି ଉଭୟ ନେତା ସହମତ ହୋଇଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ କୁହାଯାଇଛି । ସେହିପରି ନ୍ୟୁକ୍ଲିୟର୍ ପ୍ଲାଣ୍ଟ୍ ଉପରେ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି । ଏବେ ରୁଷ୍କୁ ଯୁଦ୍ଧ ବନ୍ଦ କରିବା ସହ ପ୍ଲାଣ୍ଟ ମଧ୍ୟକୁ ଇମର୍ଜେନ୍ସି ଟିମ୍କୁ ପ୍ରବେଶ ଅନୁମତି ଦେବା ଉଚିତ ବୋଲି କହିଛନ୍ତି । ଆକ୍ରମଣ ପରେ ୟୁକ୍ରେନ୍ ବିଦେଶ ମନ୍ତ୍ରୀ ଦିମିତ୍ରି କୁଲେଭା କହିଛନ୍ତି ପ୍ଲାଣ୍ଟର ଚତୁର୍ଦ୍ଦିଗରୁ ରୁଷ୍ ସେନା ଗୁଳିଗୋଳା ବର୍ଷଣ କରିଥିଲେ । ଏଥିରେ ବିସ୍ଫୋରଣ ଘଟିଥିଲେ ତାହା ଚେର୍ନୋବିଲ୍ ବିସ୍ଫୋରଣ ଠାରୁ ୧୦ ଗୁଣ ଅଧିକ ବିପଜ୍ଜନକ ହେଇଥାନ୍ତା । ଏହାରେ ୬ଟି ନ୍ୟୁକ୍ଲିୟର୍ ରିଆକ୍ଟର ରହିଛି । ଅନ୍ୟପକ୍ଷରେ ଇଣ୍ଟରନ୍ୟାସ୍ନାଲ୍ ଆଟମିକ୍ ଏନର୍ଜି ଏଜେନ୍ସି (ଆଇଏଇଏ) ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ‘ଆଇଏଇଏ ଜାପୋରିଜିୟା ନ୍ୟୁକ୍ଲିୟର୍ ପାୱାର୍ ପ୍ଲାଣ୍ଟ୍ ଆକ୍ରମଣ ସମ୍ପର୍କରେ ଅବଗତ ଅଛି ଏବଂ ୟୁକ୍ରେନ୍ ଅଧିକାରୀଙ୍କ ସହ ସମ୍ପର୍କରେ ରହିଛି । ଆଇଏଇଏ ମହାନିର୍ଦ୍ଦେଶକ ରାଫେଲ୍ ମାରିୟାନୋ ଗ୍ରାସି ୟୁକ୍ରେନ୍ ପ୍ରଧାନମନ୍ତ୍ରୀ ଡେନିସ୍ ସ୍ମାୟଗଲ୍ ଏବଂ ୟୁକ୍ରେନ୍ ନ୍ୟୁକ୍ଲିୟର୍ ରେଗୁଲେଟର୍ ଓ ଅପରେଟର୍ ସହ ଆଲୋଚନା କରିଛନ୍ତି । ଅପରପକ୍ଷରେ ୟୁକ୍ରେନ୍ର ଚେର୍ନିଭ୍ ସହରରେ ରୁଷ୍ ଦ୍ୱାରା ଆକାଶମାର୍ଗରୁ ଆକ୍ରମଣ ଜାରିରହିଛି । ଚେର୍ନିଭ୍ ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ରୁଷୀୟ ଫାଇଟର୍ ଜେଟ୍ ୟୁକ୍ରେନ୍ର ଆବାସିକ ଅଞ୍ଚଳ ତଥା ଶିକ୍ଷାନୁଷ୍ଠାନ ଉପରେ ଘନଘନ ଆକ୍ରମଣ ଜାରିରଖିଛନ୍ତି ବୋଲି ଚେର୍ନିଭ୍ର ଗଭର୍ଣ୍ଣର ସ୍ପଷ୍ଟ କରିଛନ୍ତି । ଫାଇଟର୍ ଜେଟ୍ର ଆକ୍ରମଣରେ ବହୁ ଶିକ୍ଷାନୁଷ୍ଠାନ ଗୃହ ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍ ହୋଇଯାଇଛି । ଏ ଯାଏଁ ପ୍ରାୟ ୧୧୮ ଶିକ୍ଷାନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ମିଳିଛି । ଅନେକ ଶିକ୍ଷାନୁଷ୍ଠାନର ଖେଳପଡ଼ିଆରୁ ବ୍ୟବହୃତ ରୁଷ୍ ମିସାଇଲ୍ ମିଳିଛି । ବିଦ୍ୟାଳୟ ବନ୍ଦ ଥିବାରୁ କୌଣସି ମୃତାହତ ହୋଇନାହିଁ । ରୁଷୀୟ ସେନା ଖେର୍ସାନ୍ ଅଞ୍ଚଳରେ ଅବସ୍ଥିତ ଏକ ଟିଭି ଟାୱାର୍କୁ ନିଜ ନିୟନ୍ତ୍ରଣକୁ ନେବା ସହିତ ଓଖ୍ତିରକାସ୍ର ପାୱାର୍ପ୍ଲାଣ୍ଟ୍ ମାଟିରେ ମିଶିଯାଇଛି ।