ନୂଆଦିଲ୍ଲୀ: ୟୁକ୍ରେନ୍ ବିରୋଧରେ ଆକ୍ରମଣକୁ ଜୋରଦାର କରିଛି ରୁଷ୍ । ଏହି ପରିପ୍ରେକ୍ଷୀରେ ୟୁକ୍ରେନ୍ରେ ବସବାସ କରୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶଛାଡି ଅନ୍ୟତ୍ର ପଳାଇବାକୁ ଭାରତ ସରକାରଙ୍କ ପକ୍ଷରୁ ବୁଧବାର ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ୟୁକ୍ରେନ୍ ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ତେଣୁ ସେଠାରେ ଥିବା ଭାରତୀୟ, ବିଶେଷକରି ଛାତ୍ରଛାତ୍ରୀ ଉପଲବ୍ଧ ସୁବିଧା ଅନୁଯାୟୀ ପଳାଇଯିବାକୁ କିଏଭ୍ସ୍ଥିତ ଭାରତୀୟ ବିଦେଶ ନିର୍ଦ୍ଦେଶ ଜାରି କରିଛି । ସୂଚନାଯୋଗ୍ୟ ଚଳିତବର୍ଷ ଫେବୃଆରୀ ୨୪ରେ ରୁଷ୍ ପକ୍ଷରୁ ଆକ୍ରମଣ ଆରମ୍ଭ ହେବାପରେ ୟୁକ୍ରେନ୍ ତାହାର ଆକାଶପଥକୁ ସିଲ୍ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ଭାରତ ସରକାର ୟୁକ୍ରେନ୍ର ପଡୋଶୀ ରାଷ୍ଟ୍ର ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମାନ୍ତ ଦେଇ ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନରେ ସ୍ୱଦେଶ ଫେରାଇ ଆଣିଥିଲା । ଏପରିକି କିଏଭ୍ରେ ଥିବା ଭାରତୀୟ ଦୂତାବାସକୁ ସାମୟିକଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ବୁଧବାର ସେମାନଙ୍କ କବ୍ଜାରେ ଥିବା ୟୁକ୍ରେନ୍ର ଚାରିଟି ପ୍ରଦେଶରେ ସାମରିକ ଆଇନ ଲାଗୁ କରିଛନ୍ତି । ରୁଷ୍ ଜାତୀୟ ଟେଲିଭିଜନରେ ପୁଟିନ୍ଙ୍କ ନିର୍ଦ୍ଦେଶନାମା ପ୍ରସାରିତ ହେବାପରେ ୟୁକ୍ରେନ୍ର ଖେରସନ୍ ସହରରେ ଥିବା ନାଗରିକମାନେ ବୋଟ୍ ଯୋଗେ ଡିନିପ୍ରୋ ନଦୀ ପାରହୋଇ ଅନ୍ୟତ୍ର ପଳାୟନ କରିଥିବା ଲକ୍ଷ୍ୟ କରାଯାଇଛି । କିଛିଦିନ ପୂର୍ବେ ୟୁକ୍ରେନ୍ ସେନା ଏହି ଅଞ୍ଚଳରୁ ରୁଷ୍ ସେନାକୁ ପଛକୁ ହଟାଇବାରେ ସକ୍ଷମ ହୋଇଥିଲା ।
ତେବେ ସାନି ଆକ୍ରମଣ ପରେ ଏହି ଅଞ୍ଚଳ ପୁଣି ରୁଷ୍ ନିୟନ୍ତ୍ରଣକୁ ଆସିଛି । ଅପରପକ୍ଷରେ ରୁଷ୍ ପକ୍ଷରୁ ଜାରି କରାଯାଇଥିବା ସାମରିକ ଆଇନକୁ ୟୁକ୍ରେନ୍ ପ୍ରତ୍ୟାଖ୍ୟାନ କରିଛି । ଏହି ଚାରିଟି ଅଞ୍ଚଳ ଏବେମଧ୍ୟ ସେମାନଙ୍କ ନିୟନ୍ତ୍ରଣରେ ରହିଛି ବୋଲି ୟୁକ୍ରେନ୍ ଦାବି କରିଛି । ଚଳିତମାସ ପ୍ରାରମ୍ଭରେ ୟୁକ୍ରେନ୍ ସେନା କ୍ରିମିଆରେ ନିର୍ମିତ ଏକ ପୋଲକୁ ବୋମାମାଡରେ ଧ୍ୱଂସ କରିବାପରେ ରୁଷ୍ ଅଧିକ ଆକ୍ରମକ ହୋଇପଡିଥିଲା । ଏହାର ଦୁଇଦିନ ବ୍ୟବଧାନରେ ରୁଷ୍ ପକ୍ଷରୁ ଗୋଟିଏ ଦିନରେ ୟୁକ୍ରେନ୍ ରାଜଧାନୀ କିଏଭ ସମେତ ଆଠଟି ସହରରେ ଗୋଟିଏ ଦିନରେ ୮୪ଟି କ୍ଷେପଣାସ୍ତ୍ର ମାଡ କରାଯାଇଥିଲା । ଏହି ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ୍ ସହରଗୁଡିକରେ ପ୍ରଭୂତ କ୍ଷୟକ୍ଷତି ଘଟିଥିଲା ।