ତିରୁଅନନ୍ତପୁରମ: ସୋସିଆଲ୍ ମିଡିଆରେ ଜଣେ ସାମ୍ବାଦିକଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିବା ମାମଲାରେ କେରଳର ପୂର୍ବତନ ଜଜ୍ ଏସ୍. ସୁଦୀପଙ୍କ ବିରୋଧରେ ଥାନାରେ କେସ୍ ରୁଜୁ ହୋଇଛି । ସବ୍-ଜଜ୍ ପଦରେ ଥାଇ ସୁଦୀପ ସାବରୀମାଳା ପ୍ରସଙ୍ଗକୁ ନେଇ ଆପତ୍ତିଜନକ ପୋଷ୍ଟ୍ କରିଥିଲେ । ଏହାକୁ ନେଇ କେରଳ ହାଇକୋର୍ଟରେ କେତେକ ପିଟିସନ୍ ମଧ୍ୟ ଦାଖଲ ହୋଇଥିଲା । ମାମଲାର ଶୁଣାଣି କରି ହାଇକୋର୍ଟ ସୁଦୀପ୍ଙ୍କୁ ଭର୍ତ୍ସନା କରିବା ଫଳରେ ତାଙ୍କୁ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା ।
ଏସିଆନେଟ୍ ନ୍ୟୁଜ୍ ଏହି ପ୍ରସଙ୍ଗରେ ନିଜର ସାପ୍ତାହିକ କାର୍ଯ୍ୟକ୍ରମରେ ଏକ ରିପୋର୍ଟ ପ୍ରସାରିତ କରିଥିଲା । କାର୍ଯ୍ୟକ୍ରମର ଭିଡିଓ ମଧ୍ୟ ସଂସ୍ଥା ପକ୍ଷରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିଲା । ଏହାକୁ ନେଇ ପୂର୍ବତନ ଜଜ୍ କାର୍ଯ୍ୟକ୍ରମ ହୋଷ୍ଟ୍ କରିଥିବା ସାମ୍ବାଦିକଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିଲେ । ତାଙ୍କର ଏହି ଟିପ୍ପଣୀକୁ ସୋସିଆଲ୍ ମିଡିଆରେ କଡ଼ା ବିରୋଧ କରାଯିବା ପରେ କ୍ୟାଣ୍ଟନ୍ମେଣ୍ଟ୍ ପୁଲିସ ନିଜଆଡ଼ୁ କେସ୍ ରୁଜୁ କରିଛି । ସୁଦୀପଙ୍କୁ ଆସନ୍ତା ସପ୍ତାହରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନୋଟିସ୍ ପଠାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।