21.1 C
Bhubaneswar
Monday, November 18, 2024
Homeଆଇପିଏଲ୍ -2022କୋଲକାତାକୁ ୩ ୱିକେଟରେ ହରାଇଲା ଆର୍‌ସିବି

କୋଲକାତାକୁ ୩ ୱିକେଟରେ ହରାଇଲା ଆର୍‌ସିବି

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ପ୍ରଥମ ବିଜୟ ହାସଲ କରିଛି । ବୁଧବାର ସ୍ଥାନୀୟ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ବିପକ୍ଷ ମ୍ୟାଚ୍‌ରେ ଟିମ୍ ୩ ୱିକେଟ୍‌ରେ ବିଜୟୀ ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ୧୮.୨ ଓଭର୍‌ରେ ମାତ୍ର ୧୨୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିବା ବେଳେ ଆର୍‌ସିବି ୧୯.୨ ଓଭର୍‌ରେ ୧୩୪ ରନ୍ କରିଥିଲା । ଅନ୍ତିମ ଓଭର୍‌ରେ ବିଜୟ ପାଇଁ ୭ ରନ୍ ଆବଶ୍ୟକ ଥିବାବେଳେ ଦିନେଶ କାର୍ତ୍ତିକ ରସେଲ୍‌ଙ୍କୁ ଲଗାତାର ଛକା ଓ ଚୌକା ମାରି ଟିମ୍‌କୁ ପ୍ରଥମ ବିଜୟ ଦେଇଥିଲେ ।

ଟାର୍ଗେଟ୍‌ର ପିଛା କରୁଥିବା ଆର୍‌ସିବିର ଆରମ୍ଭ ଖରାପ ଥିଲା । ଟିମ୍ ପ୍ଲାୱାର୍ ପ୍ଲେ’ରେ ୩୬ ରନ୍‌ରେ ତିନିଟି ୱିକେଟ୍ ହରାଇଥିଲା । ଅନୁଜ ରାୱତ ଖାତା ଖୋଲିପାରି ନଥିବା ବେଳେ ଫାଫ୍ ଡୁ ପ୍ଲେସିସ୍ ୫ ଓ ବିରାଟ କୋହଲି ୧୨ ରନ୍ କରି ଆଉଟ୍ ହୋଇଥିଲେ । ସିଏସ୍‌କେ ବିପକ୍ଷ ଗତ ମ୍ୟାଚ୍‌ରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ହୋଇଥିବା ଉମେଶ ଯାଦବ ଏହି ମ୍ୟାଚ୍‌ରେ ନିଜ ଲୟ ବଜାୟ ରଖିଥିଲେ । ପ୍ରଥମ ଦୁଇଟି ଓଭର୍‌ରେ ଅନୁଜ ଓ କୋହଲିଙ୍କୁ ଆଉଟ୍ କରିଥିଲେ । ୬୨ ରନ୍‌ରେ ୪ଟି ୱିକେଟ୍‌ର ପତନ ପରେ ଶେର୍‌ଫାନ୍ ରଦର୍‌ଫୋର୍ଡ (୨୮) ଓ ଶାହବାଜ୍ ଅହମ୍ମଦ (୨୭)ଙ୍କ ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ ୩୯ ରନ୍‌ର ପାର୍ଟନର୍‌ଶିପ୍ ହେବା ଫଳରେ ଟିମ୍‌ର ସ୍କୋର୍ ୧୦୦ ରନ୍ ପାର୍ କରିଥିଲା ।

ତେବେ ଚକ୍ରବର୍ତ୍ତୀ ଶାହବାଜ୍‌ଙ୍କୁ ଆଉଟ୍ କରିବା ପରେ ଏହି ପାର୍ଟନର୍‌ଶିପ୍‌ରେ ବ୍ରେକ୍ ଲାଗିଥିଲା । ପରେ କାର୍ତ୍ତିକ ଧୈର୍ଯ୍ୟର ସହ ବ୍ୟାଟିଂ କରି ୭ ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ଅପରାଜିତ ୧୪ ରନ୍ କରିଥିଲେ । ହର୍ଷଲ୍ ପଟେଲ୍ ମଧ୍ୟ ଦମ୍‌ଦାର ବ୍ୟାଟିଂ କରି ୬ ରନ୍‌ରେ ଦୁଇଟି ଚୌକା ସହାୟତାରେ ୧୦ ରନ୍ ଅପରାଜିତ ଥିଲେ । କୋଲ୍‌କାତା ପକ୍ଷରୁ ଟିମ୍ ସାଉଦି ୩ଟି, ଉମେଶ ୨ଟି ଏବଂ ସୁନୀଲ୍ ନରିନ୍ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ପ୍ୟାଟିଂ ମଧ୍ୟ ଖରାପ ଥିଲା । ଟିମ୍‌ର ବ୍ୟାଟ୍ସମ୍ୟାନ୍‌ମାନେ ଶ୍ରୀଲଙ୍କା ସ୍ପିନର୍ ହସରଙ୍ଗାଙ୍କ ଯାଦୁରେ ଫସି ଯାଇଥିଲେ । ସ୍ଥିତି ଏପରି ଥିଲା ଟିମ୍ ୧୦୧ ରନ୍‌ରେ ୯ ୱିକେଟ୍ ହରାଇଥିଲା । ତେବେ ଅନ୍ତିମ ୱିକେଟ୍‌ରେ ଉମେଶ ଯାଦବ ଓ ବରୁଣ ଚକ୍ରବର୍ତ୍ତୀ ୨୬ ବଲ୍‌ରେ ୨୭ ରନ୍ ଯୋଡ଼ି କୋଲ୍‌କାତାକୁ ସମ୍ମାନଜନକ ସ୍କୋର୍‌ରେ ପହଞ୍ଚାଇଥିଲେ । ଟିମ୍ ପକ୍ଷରୁ ଆନ୍ଦ୍ରେ ରସେଲ୍ ୧୮ ବଲ୍‌ରେ ଗୋଟିଏ ଚୌକା ଓ ତିନିଟି ଛକା ସହାୟତାରେ ସର୍ବାଧିକ ୨୫ ରନ୍ କରିଥିଲେ । ଆର୍‌ସିବି ପକ୍ଷରୁ ହସରଙ୍ଗା ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିବା ବେଳେ ଆକାଶ ଦୀପ୍‌ଙ୍କୁ ୩ଟି ସଫଳତା ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ହର୍ଷଲ୍ ପଟେଲ୍ ଦୁଇଟି ଓ ମହମ୍ମଦ ସିରାଜ୍ ଗୋଟିଏ ୱିକେଟ୍ ହାସଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking