ଗଞ୍ଜାମ : ରମ୍ଭା ଥାନା ହୁମ୍ମା-ପୁରୁଷୋତ୍ତମପୁର ରାଜପଥ(୩) ହୁମ୍ବୁରି -ସନ୍ତୋଷପୁର ଛକଠାରେ ମଙ୍ଗଳବାର ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି । କୁଖ୍ୟାତ ଅପରାଧୀ ସନ୍ତୋଷ ରେଡ୍ଡୀ ଗ୍ୟାଙ୍ଗ୍ର ଛଅ ଜଣ ସହଯୋଗୀ ଡକାୟତି କରିଥିବା ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଛି । ମଙ୍ଗଳବାର ରାତିରେ ବ୍ରହ୍ମପୁର ସଦର ଥାନା ଅଧିନ ଲୋଚାପଡ଼ାର ଗୋଷ୍ଠୀଚରଣ ପାଢ଼ୀ(୪୮) ଋଷିକୂଲ୍ୟା ନଦୀ ଭିତରେ ଥିବା ବ୍ରଜଘାଟ ବାଲି ଘାଟରୁ ବାଲି କ୍ରୟର ଏକଲକ୍ଷ ୮୦ ହଜାର ଟଙ୍କା ଧରି ବ୍ରହ୍ମପୁର ଯିବା ପାଇଁ ପୁରୁଷୋତ୍ତମ-ହୁମ୍ମା ରାଜ୍ୟ ରାଜପଥରେ ଯାଉଥିବାବେଳେ ସନ୍ତୋଷପୁର ଛକଠାରୁ ସାନଗୋପାଳପୁର ମଧ୍ୟ ଭାଗରେ ନିଜ ବାଇକ୍ (ଓଆର୍ ୦୭ଡବ୍ଲ୍ୟୁ ୭୯୨୫) ହିରୋହୁଣ୍ଡା ଗ୍ଲାମର ଯୋଗେ ବ୍ରହ୍ମପୁର ଯାଉଥିବା ବେଳେ ବିପରୀତ ଦିଗରୁ (ଓଆର୍ ୦୨ଏସ୍ ୪୭୦୦) ଏକ ସୁଇପଟ ଗାଡି ଆସି ବାଇକ ସମ୍ମୁଖରେ ରଖିବାରୁ ଗୋଷ୍ଠୀ ପାଢ଼ୀ ନିଜ ବାଇକ୍ ରଖିଦେଇଥିଲେ ।
ଏହି ସମୟରେ ସୁଇପଟ ଗାଡି ଭିତରୁ କୁଖ୍ୟାତ ଅପରାଧୀ ସନ୍ତୋଷ ରେଡି ଓହ୍ଲାଇ ପାଢ଼ୀର ମୁଣ୍ଡରେ ମାଉଜ ଲଗାଇଥିବା ବେଳେ ଅନ୍ୟ ଚାରି ସହଯୋଗୀ ରାସ୍ତା ପାଶ୍ୱର୍ ବିଲ ମାଳକୁ ଟାଣି ନେଇଥିଲେ । ଶ୍ରୀ ପାଢ଼ୀଙ୍କ ସହ ଥିବା ଅନ୍ୟ ଦୁଇଜଣ ଏସ୍. ଯୁଧିଷ୍ଠିର ରେଡି ଓ ରାକେଶ ପ୍ରଧାନଙ୍କୁ ବନ୍ଧୁକରେ ମୁଣ୍ଡକୁ ମାରି ରକ୍ତାକ୍ତ କରିଦେଇଥିଲେ । ଶ୍ରୀ ପାଢ଼ୀ ପିନ୍ଧିଥିବା ତିନି ତୋଳା ସୁନା ଚେନ, ଅଧ ତୋଳାରୁ ଊର୍ଦ୍ଧ୍ୱ ସୁନା ମୁଦି ଛଡ଼ାଇ ନେବା ସହ ବାଇକ୍ର ଡିକି ଚାବି ନେଇ ଡିକି ଭିତରେ ଥିବା ଏକଲକ୍ଷ ୮୦ ହଜାର ଟଙ୍କା ଲୁଟ କରି ଅଭିଯୁକ୍ତମାନେ ବିରୁଳିଗଡ଼ ରାସ୍ତା ଦେଇ ଯାଉଥିଲେ । ସେତେବେଳେ ଲୋକଙ୍କୁ ଦେଖି ଅପରାଧୀମାନେ ପାଞ୍ଚ ରାଉଣ୍ଡ ଗୁଳି ବ୍ଲାଙ୍କ ଫାଇରିଂ କରିଥିଲେ । ଫଳରେ ଲୋକମାନେ ଭୟଭୀତ ହୋଇ ସେଠାରେ ଅଟକି ନଥିବା ବେଳେ ଯାତାୟାତ ରାସ୍ତା କିଛି ସମୟ ପାଇଁ ଠପ ହୋଇଯାଇଥିଲା । ଖବର ପାଇ ରମ୍ଭା ଆଇଆଇସି ଦୀପ୍ତି ରଞ୍ଜନ ବେହେରାଙ୍କ ନେତୃତ୍ୱରେ ସବଇନ୍ସପେକ୍ଟର ହେଚ. କେ.ଦେଉରୀ, ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାସ, ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ ।