ବାଲିଆପାଳ : ବାଲିଆପାଳ ବ୍ଲକ୍ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର ପୂର୍ବାହ୍ନରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା କ୍ରମଶଃ ଉଗ୍ରରୂପ ଧାରଣକରି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ସ୍ଥାନୀୟ ଜନସାଧାରଣ ରାସ୍ତାରେ ଟାୟାର୍ ଜାଳି ରାସ୍ତାରୋକ୍ କରିଥିଲେ । ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବ୍ୟାହତ ହୋଇଥିଲା । ସୋମବାର ଏଠାରେ କୋଭିଡ୍ ଟିକା ଦ୍ୱିତୀୟ ଡୋଜ୍ ଦିଆଯିବାର କାର୍ଯ୍ୟକ୍ରମ ରହିଥିବାରୁ ତାହା ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ, ବାଲିଆପାଳ ଥାନା ପ୍ରତାପପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁବାର ପ୍ରତାପପୁର ଗ୍ରାମର ଯଦୁନାଥ ବେହେରାଙ୍କ ପୁଅ ପ୍ରସନ୍ନ ବେହେରା(୩୫) କୌଣସି କାରଣରୁ ବିଷ ପିଇଦେଇଥିଲେ ।
ପରିବାର ଲୋକେ ତୁରନ୍ତ ପ୍ରସନ୍ନକୁ ପ୍ରତାପପୁର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ପ୍ରସନ୍ନକୁ କୌଣସି ଚିକିତ୍ସା କରା ନଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଦିଆଯାଇ ଥିଲା । ସେଠାରେ ପ୍ରସନ୍ନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନଆସିବାରୁ ତାଙ୍କୁ ରବିବାର କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସ୍ଥାନାନ୍ତରିତ ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଗ୍ରାମବାସୀମାନେ ଏକତ୍ରିତ ହୋଇ ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସନ୍ନଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଦର୍ଶାଇ ମେଡିକାଲରେ ତାଲା ପକାଇ ଦେଇଥିଲେ। ଏଥିସହ ରାସ୍ତାରେ ଟାୟାର ଜାଳି କାଳିପଦା-ରତାଇ ମୁଖ୍ୟରାସ୍ତାକୁ ପ୍ରତାପପୁରଠାରେ ଅବରୋଧ କରିଥିଲେ ।