28.1 C
Bhubaneswar
Monday, November 18, 2024
Homeଓଡିଶାସଡ଼କ ଦୁର୍ଘଟଣା : ବର୍ଷକରେ ୪୭୩୮ ମୃତ

ସଡ଼କ ଦୁର୍ଘଟଣା : ବର୍ଷକରେ ୪୭୩୮ ମୃତ

ଭୁବନେଶ୍ୱର: ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । କିନ୍ତୁ ଏହାସତ୍ତ୍ୱେ ମଧ୍ୟ ରାଜ୍ୟରେ ଚଳିତବର୍ଷ ୪୭୩୮ ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏନେଇ ସଡ଼କ ସୁରକ୍ଷା ପରିଷଦରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ, ଓଡ଼ିଶାରେ ୨୦୨୦ ମସିହାରେ ମୋଟ୍ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ପ୍ରାୟ ୫ ହଜାର  ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି ।

ତେବେ  ୨୦୧୯ ମସିହା ତୁଳନାରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ପ୍ରାୟ ୧୧% ହ୍ରାସ ପାଇଛି । ରାଜ୍ୟରେ ଘଟୁଥିବା ପ୍ରତି ୧୦୦ଟି ଦୁର୍ଘଟଣାରେ ୪୮ ଜଣ ମୃତ୍ୟୁବରଣ କରୁଥିବାବେଳେ ଜାତୀୟସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ବୋଲି ସେ କହିଛନ୍ତି । ରାଜ୍ୟରେ ମୁଖ୍ୟତଃ ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ବାଇକ୍ ଚାଳକଙ୍କ ସଂଖ୍ୟା ସମୁଦାୟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୫୩ ପ୍ରତିଶତ ଏବଂ ୮୦ ପ୍ରତିଶତ ବ୍ୟକ୍ତି ହେଲ୍‌ମେଟ୍ ପିନ୍ଧି ନଥିବାରୁ ମୃତ୍ୟୁବରଣ କରୁଥିବା ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା କମାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି । ପରିବହନ ବିଭାଗ ତରଫରୁ ସଡ଼କ ଦୁର୍ଘଟଣାପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ପ୍ରସ୍ତୁତ କରାଯାଇଛି । ଏମାନଙ୍କୁ ଫାଷ୍ଟ ରେସ୍‌ପଣ୍ଡର ଟ୍ରେନିଂ ଦିଆଯାଇଛି । ଯାନ ଚାଳକମାନଙ୍କ ପାଇଁ ରିଫ୍ରେସ୍‌ର ଟ୍ରେନିଂ କରାଯାଉଛି ।

ବ୍ଲାକ୍ ସ୍ପଟ୍‌ଗୁଡ଼ିକୁ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ଦ୍ୱାରା ସର୍ଭେ କରାଯାଇ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ  ସଚିବ  ମଧୁସୂଦନ ପାଢ଼ୀ, ଆଇନ ସଚିବ, ପୋଲିସ ବିଭାଗର ଅତିରିକ୍ତ ଡିଜି, ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସଡ଼କ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking