ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି । ଏନସିବି ଦାବି କରିଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ କିଣି ଅଭିନେତାଙ୍କୁ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଏନସିବି ନିକଟରେ ଏନ୍ଡିପିଏସ୍ କୋର୍ଟରେ ସୁଶାନ୍ତ ମୃତ୍ୟୁ ମାମଲାରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜସିଟ ଦାଖଲ କରିଛି ଯାହା ମଙ୍ଗଳବାର ଶୁଣାଣି ହୋଇଥିଲା । ଜୁଲାଇ ୧୨ରେ, ଏନ୍ସିବି ଏହା ମଧ୍ୟ ଖୁଲାସା କରିଛି ଯେ, ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତ ପରସ୍ପର ସହ ମିଶି ଷଡଯନ୍ତ୍ର ରଚିଥିଲେ । ଫଳରେ “ବଲିଉଡ ଏବଂ ହାଇ ସୋସାଇଟି”ରେ ଡ୍ରଗ୍ ବିତରଣ, କ୍ରୟ ଏବଂ ବିକ୍ରୟ କରି ପାରିବେ । ଏହି ଅଭିଯୋଗ ଗଠନ ପୂର୍ବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ନିର୍ଦ୍ଦୋଷ ଆବେଦନ ଉପରେ ବିଚାର କରିବେ । ଏନଡିପିଏସ୍ ଆକ୍ଟ ସହ ଜଡିତ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶି ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ୨୭କୁ ସ୍ଥିର କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ ୧୫ ଦିନ ପରେ ପରବର୍ତ୍ତୀ ଶୁଣାଣି ହେବ ।