କାଲି ସନ୍ଧ୍ୟାର ଫୋନ କଲ ଟିଏ ମନକୁ ବହୁତ ସମୟ ଭାରକ୍ରାନ୍ତ କରି ରଖିଲା।ଗମ୍ଭୀର ଓ ବିବ୍ରତ ସ୍ୱର। ମ୍ୟାଡ଼ମ ନମସ୍କାର। ଭଲ ଅଛନ୍ତି ? ମ୍ୟାଡ଼ମ ଜାଣି ପାରୁଛନ୍ତି, ଆପଣଙ୍କ ସହିତ ଗାନ୍ଧୀ ଜ୍ୟୋତିଯାତ୍ରାରେ ଦେଖା ହୋଇଥିଲା। ଆଛା ଆଛା। ହଁ ମନେ ପଡିଲା।କୁହନ୍ତୁ କଣ ପାଇଁ ଫୋନ କଲେ। ମ୍ୟାଡ଼ମ ଏ ଯେଉଁ ନିର୍ଭୟା କେଶରେ ଫାଶୀ ପାଇଁ ତାରିଖ ପରେ ତାରିଖ ହେଉଛି ଆପଣ କିଛି କରନ୍ତୁ।ମନର ଭାବକୁ ଲୁଚାଇ ସ୍ଥିର ସ୍ୱରରେ ପଚାରିଲି କଣ କରିହେବ କହନ୍ତୁ,ମୋ ଦ୍ୱାରା କଣ ହେଇ ପାରିବ ବୋଲି ଆପଣ ଭାବୁଛନ୍ତି। କହିଲେ ମ୍ୟାଡ଼ମ ଏଇ ଯେମିତି ପ୍ରତିବାଦ ସଭା ବା ରାଲି ଇତ୍ୟାଦି। ମୁଁ ଉତ୍ତର ଦେଲି ଦେଖନ୍ତୁ ବହୁତ ବିକ୍ଷୋଭ,ସଭା,ରାଲି ସବୁକିଛି ସରିଛି। ତା ସତ୍ତ୍ୱେ ନିର୍ଭୟା କେଶରେ ଆଠ ବର୍ଷ ପରେ ମଧ୍ୟ ଦଣ୍ଡାଦେଶରେ କିଭଳି ପ୍ରହସନ ଚାଲିଛି ଆପଣ ଦେଖୁଛନ୍ତି , ଏଥି ସହିତ କେବଳ ଏହି ଘଟଣା ନୁହେଁ ବହୁ ଅମାନୁଷିକ ଜଘନ୍ୟ ଘଟଣାରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ବହୁ ବିଶାଳ ରାଲି ଓ ପ୍ରତିବାଦ ସଭାମାନ ମଧ୍ୟ କରି ଚାଲିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କେତେ ଫଳପ୍ରଦ ହେଉଛି? ଏ ତ ଆମ ନ୍ୟାୟିକ ବ୍ୟବସ୍ଥାର ତ୍ରୁଟି,ଏ ତ ଆମ ଶାସନ କଳର ଅପାରଗତା,ଯେଉଁଠି ଗୋଟେ ସିଷ୍ଟମ ଫେଲ ମାରୁଛି ସେଠି ମୁଁ ଏକୁଟିଆ ଅବା କଣ କରିପାରିବି? ମହାଶୟ ଜଣକ କହିଲେ ସେ ଯାହା ହେଉନା କାହିଁକି ଆପଣ ମଧ୍ୟ ଜଣେ ମହିଳା ଭାବରେ ଏ ଅନ୍ୟାୟ ବିରୁଦ୍ଧରେ କିଛି କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା। ମୁଁ କହିଲି ଦେଖନ୍ତୁ ଏଇଠି ପୁରୁଷର ମାନସିକତା। ଜଣେ ମହିଳା ପ୍ରତି ଯେତେବେଳେ ଅତ୍ୟାଚାର ହେଉଛି ସେଠି କେବଳ ମହିଳାମାନେ ହିଁ କାହିଁକି ସ୍ୱର ଉତ୍ତୋଳନ କରିବେ ପୁରୁଷ ମାନେ କାହିଁକି କରିବେନି? ସେହି ମହିଳା ତ କାହାର ମାଆ, ସ୍ତ୍ରୀ, ଭଉଣୀ, କିମ୍ବା ଝିଅ ହୋଇଥିବ। ଯେଉଁଦିନ ପୁରୁଷ ମହିଳା ନିର୍ବିଶେଷରେ ପ୍ରତିଟି ସଚେତନ ବ୍ୟକ୍ତି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ରାଜରାସ୍ତାକୁ ଆସିବେ ସେଇଦିନ ହିଁ ଏ ସମସ୍ୟାର ସମାଧାନ ହେବ । ମୁଁ ପଚାରିଲି ଆପଣ ଆସିବେ କି ଏ ଅଭିଯାନରେ ସାମିଲ ହେବେ ? କହିଲେ ମ୍ୟାଡ଼ମ ମୁଁ ସରକାରୀ ଚାକିରୀ କରିଛି। ତେଣୁ ଏ ସବୁ କରିବା ମୋ ପକ୍ଷରେ ସମ୍ଭବ ନୁହେଁ ।କହିଲି ଆପଣଙ୍କ ଯେମିତି ବାଧ୍ୟକତା ରହିଛି ଅନ୍ୟମାନଙ୍କର ମଧ୍ୟ ସେହିପରି କିଛି ନା କିଛି ବାଧ୍ୟତାମୂଳକ ଅସୁବିଧା ରହିଛି। ଜୀବନ ଓ ଜୀବନଜୀବୀକା ଉଭୟ ଯେତେବେଳେ ବିପଦପୂର୍ଣ ସେତେବେଳେ ଆପଣଙ୍କ ପରି ଅନେକ ସମ୍ବେଦନଶୀଳ ବ୍ୟକ୍ତି ମନ କଥା ମନରେ ମାରି ନୀରବରେ ଏ ଅପଙ୍ଗୁ ସାମାଜିକ ବ୍ୟବସ୍ଥାକୁ ସହ୍ୟ କରିବାକୁ ବାଧ୍ୟ ହେଉଛି। ଏଇ ଯେମିତି ଗତ କିଛିଦିନ ହେବ ଗଣମାଧ୍ୟମରେ ବିଭିନ୍ନ ମହିଳା ସମସ୍ୟା ସମ୍ବନ୍ଧରେ ବିଭିନ୍ନ ଆଲୋଚନାକୁ ଯିବା ପାଇଁ ମୁଁ ମନା କରି ଦେଉଛି। କାରଣ ମୋତେ ନିଜକୁ ବି ଲଜ୍ଜା ଲାଗୁଛି କେତେ ସେଇ ସେଇ କଥାକୁ କହି ହେବି। ଏମିତି ହେବା ଉଚିତ ସେମିତି ହେବା ଉଚିତ। ବଡ଼ ଅବଶୋଷ କଣ୍ଠରେ ସେ ଭଦ୍ରବ୍ୟକ୍ତି କହିଲେ ହଁ ମ୍ୟାଡ଼ମ ସତ କଥା ଯେ କିନ୍ତୁ ବ୍ୟସ୍ତ ଲାଗିଲା ତେଣୁ ଆପଣଙ୍କୁ ଟିକେ ଫୋନ କରିଦେଲି। ହଉ ଠିକ ଅଛି ଆଉ କେତେବେଳେ କଥା ହେବି କହି ଫୋନ ରଖିଲି ସିନା କିନ୍ତୁ ତାଙ୍କୁ ବୁଝାଇ ପାରିଲିନି କି ନିଜକୁ ବୁଝାଇପାରୁନି ଏହି ଗ୍ଲାନିବୋଧରେ ଆଜି ଯାଏ ମନଟା ବହୁତ ଖରାପ ଲାଗୁଛି। ଯେତେ ସଶକ୍ତ ଆମେ ସେତେ ଅସହାୟ ମଧ୍ୟ ଆମେ।
ଡ଼ଃ ରିନା ରାଉତରାୟ