31.1 C
Bhubaneswar
Friday, October 18, 2024
Homeଓଡିଶାଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ସମୀକ୍ଷା; ୪ ନୂଆ ଇଏସ୍‌ଆଇ ହସ୍ପିଟାଲକୁ ଅନୁମୋଦନ

ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ସମୀକ୍ଷା; ୪ ନୂଆ ଇଏସ୍‌ଆଇ ହସ୍ପିଟାଲକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାରେ ୪୧ଟି ଇଏସ୍‌ଆଇ ଡିସ୍‌ପେନସରୀ ଓ ୪ଟି ଇଏସ୍‌ଆଇ ହସ୍ପିଟାଲ ମାଧ୍ୟମରେ ଇଏସ୍‌ଆଇ ସେବା ଅଧୀନରେ ୭ ଲକ୍ଷ ୪୧ ହଜାରରୁ ଅଧିକ ବୀମାଭୁକ୍ତ ବ୍ୟକ୍ତି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ସେହିପରି ପାରାଦୀପ, ବାଲେଶ୍ୱର, ଝାରସୁଗୁଡ଼ା ଓ ଡୁବୁରୀରେ ୪ଟି ନୂଆ ହସ୍ପିଟାଲକୁ ଅନୁମୋଦନ ମିଳିଛି ।

ଏତଦ୍‌ବ୍ୟତୀତ ଏହି ବର୍ଷ ଠାରୁ ୧୨ଟି ନୂତନ ଡିସ୍‌ପେନସରୀ ଖୋଲିବା ପାଇଁ ଅନୁମୋଦନ ମିଳିଛି ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶାରଦା ପ୍ରସାଦ ନାୟକ କହିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ କାର୍ଯ୍ୟର ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଅନ୍ୟାନ୍ୟ ରୂପାନ୍ତରଣଶୀଳ ପଦକ୍ଷେପଗୁଡ଼ିକ ବାବଦରେ ଉଲ୍ଲେଖ କରି ଏହି ସୂଚନା ଦେଇଛନ୍ତି ।

ଏହାଛଡ଼ା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଅସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କ ପାଇଁ ଶ୍ରମ ଏବଂ ଇଏସ୍‌ଆଇ ବିଭାଗ ଅଧୀନରେ କଲ୍ୟାଣ ବୋର୍ଡ ଗଠନ କରାଯାଇଛି । ୨୦୦୮ ଡିସେମ୍ବର ୧୫ରୁ ୨୦୨୩ ଏପ୍ରିଲ ୩୦ ମଧ୍ୟରେ ୩୮ ଲକ୍ଷ ୪୦ ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ ଅଧୀନରେ ହିତାଧିକାରୀ ଭାବେ ପଞ୍ଜିକୃତ କରାଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇଛି । ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ୨୯୬୧.୫୨ କୋଟି ଟଙ୍କାର ଲାଭ ବଣ୍ଟନ କରାଯାଇଛି ।

ଅଦ୍ୟାବଧି ୩୬୬୧.୧୪ କୋଟି ଟଙ୍କାର ସେସ୍ ଆଦାୟ ହୋଇଛି । ଗନ୍ତବ୍ୟସ୍ଥଳୀ ରାଜ୍ୟଗୁଡ଼ିକରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଠିକ୍ ସମୟରେ ସହାୟତା ଯୋଗାଇ ଦେବା ପାଇଁ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ନୂଆଦିଲ୍ଲୀରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା ଡେସ୍କ ଏବଂ ସୁରଟରେ ଓଡ଼ିଶା ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହା ବ୍ୟତୀତ ୧,୦୭,୩୩୦ ପ୍ରବାସୀ ନିର୍ମାଣ ଶ୍ରମିକ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ହିତାଧିକାରୀ ଭାବେ ପଞ୍ଜିକୃତ ହୋଇଛନ୍ତି ।

ରାଜ୍ୟର ଅଣସଙ୍ଗଠିତ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଗଠନ କରାଯାଇ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୬୫ ହଜାରରୁ ଅଧିକ ଅଣସଙ୍ଗଠିତ ଶ୍ରମିକଙ୍କୁ ପଞ୍ଜିକୃତ କରାଯାଇଛି । ୨୦୨୩ ମେ ୧ରୁ ବୋର୍ଡ ଅଧୀନରେ ଅନଲାଇନ ମଡ୍ୟୁଲ ଆରମ୍ଭ କରାଯାଇଛି । ବ୍ୟବସାୟିକ ଅଂଶୀଦାରମାନଙ୍କ ପାଇଁ ଶ୍ରମ ଆଇନ ଅନୁପାଳନ ପ୍ରକ୍ରିୟାକୁ ସହଜ କରାଯାଇଛି ।

ପରିଶ୍ରମ ପୋର୍ଟାଲର ହସ୍ତକ୍ଷେପ ଦ୍ୱାରା ସହଜ ଏବଂ ବାଧାମୁକ୍ତ ସେବା ଯୋଗାଣର ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ବ୍ୟବସ୍ଥାକୁ ସୁଗମ କରିବା, ଆବେଦନ ପତ୍ର ଦାଖଲ କରିବା ଠାରୁ ଆରମ୍ଭକରି ବୈଧାନିକ ଶୁଳ୍କ ଅନଲାଇନରେ ପୈଠ କରିବା ସମେତ ଚୂଡ଼ାନ୍ତ ପ୍ରମାଣପତ୍ର ଡାଉନଲୋଡ୍ କରିବା ପର୍ଯ୍ୟନ୍ତ କାର୍ଯ୍ୟ ଅତି ସହଜରେ ହୋଇପାରୁଛି । ଏହି ପୋର୍ଟାଲ ଇ-ଗଭର୍ଣ୍ଣାନ୍ସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମାନୁଆଲ ପଦ୍ଧତିରୁ ସେବା ଯୋଗାଣର ଉପସ୍ଥିତି ବିହୀନ ବ୍ୟବସ୍ଥାରେ ରୂପାନ୍ତରିତ କରି ଶୂନ୍ୟ ଶାରୀରିକ ହସ୍ତକ୍ଷେପ ସୁନିଶ୍ଚିତ କରୁଛି । ଏହା ଷ୍ଟାର୍ଟଅପ୍ ଏବଂ ଉଦୀୟମାନ ବ୍ୟବସାୟୀଙ୍କ ପାଇଁ ସୂଚନା ଆଦାନ ପ୍ରଦାନର ଏକ ପ୍ଲାଟଫର୍ମ ମଧ୍ୟ ।

ଏହି ପୋର୍ଟାଲ ଅଧୀନରେ ଏବେ ୬୭ଟି ସେବା ଅନଲାଇନରେ ଉପଲବ୍ଧ ହେଉଛି । ବର୍ତ୍ତମାନ ସୁଦ୍ଧା ୩୯,୦୦୦ରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି ଏବଂ ୩୫,୦୦୦ରୁ ଅଧିକ ଆବେଦନକୁ ଏହି ପୋର୍ଟାଲ ମାଧ୍ୟମରେ ଅନୁମୋଦନ କରାଯାଇଛି । ବିପର୍ଯ୍ୟସ୍ତ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଯେଉଁଥିରେ ୪ଟି ପ୍ରବାସୀ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୨୦ଟି ବ୍ଲକ ମଧ୍ୟରୁ ୪୭୭ଟି ଗ୍ରାମ ପଞ୍ଚାୟତ ପାଇଁ ମନରେଗା ଯୋଜନାରେ ଅତିରିକ୍ତ ୨୦୦ ଦିନର ନିଯୁକ୍ତି ନିମନ୍ତେ ରାଜ୍ୟ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ରାଜ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିିତ କରିବା ଏବଂ ଅନାବଶ୍ୟକ ସମୟ ନଦେବା ପାଇଁ କେତେକ ଶ୍ରମ ଆଇନ ଅଧୀନରେ ସ୍ୱୟଂଚାଳିତ ପଞ୍ଜୀକରଣ ପ୍ରମାଣପତ୍ର/ଲାଇସେନ୍ସ ପ୍ରସ୍ତୁତ କରିବା ଲାଗି ବିଜ୍ଞପ୍ତି ଜାରି କରାଯାଇଛି । ବ୍ଲକ୍ ଓ ସବଡିଭିଜନ ସ୍ତରରେ ଶ୍ରମ ନିର୍ଦ୍ଦେଶାଳୟର ଉପସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାଡର ସଂଖ୍ୟା ୨୪୩ରୁ ୫୩୯କୁ ବୃଦ୍ଧିକରି ୨୦୧୮ରେ ଓଡ଼ିଶା ଶ୍ରମ ସେବା କ୍ୟାଡରର ପୁନର୍ଗଠନ କରାଯାଇଛି । ରାଜ୍ୟରେ ୪୯୪୬ଟି କାରଖାନା ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୫ ଲକ୍ଷ ୬୦ ହଜାରରୁ ଅଧିକ ଲାଇସେନ୍ସ ପ୍ରାପ୍ତ ଶ୍ରମ ଶକ୍ତି ରହିଛନ୍ତି ।

୨୦୧୮ରେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ ୧୯୫୬ରେ ସଂଶୋଧନ କରାଯାଇ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପକ୍ଷରୁ ପ୍ରମୁଖ ସ୍ଥାନରେ ଓଡ଼ିଆ ଭାଷାରେ ସୂଚନା ଫଳକ ଲଗାଇବା ବାଧ୍ୟତାମୂଳକ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସଚିବ ଆରଏସ୍ ଗୋପାଳନ୍ ଏବଂ ଶ୍ରମ ଆୟୁକ୍ତ ଏନ୍‌. ଥିରୁମାଲା ନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking